ପୃଥିବୀବ୍ୟାପୀ ମଣିଷଙ୍କ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକୁ ପଶୁଙ୍କ ଉପରେ ପରୀକ୍ଷା କରାଯାଉଥିଲା। ଅଧିକାଂଶ ଦେଶରେ ଆଇନ ଅଣାଯାଇ ଏହି ପଦ୍ଧତିକୁ କିଛି ଦଶନ୍ଧି ଧରି ବନ୍ଦ କରାଯାଇଆସୁଛି। ଯେତେବେଳେ ବଡ଼ ଫାର୍ମା ବା ଔଷଧ କମ୍ପାନୀ ଦେଖିଲେ ଯେ, ପଶୁଙ୍କ ଉପରେ ପରୀକ୍ଷା କରିବା ଅଧିକ ସମୟ ପାଇଁ ସମ୍ଭବପର ହେଉନାହିଁ, ସେତେବେଳେ ସେହି କମ୍ପାନୀଗୁଡ଼ିକ ତାଙ୍କର ପରୀକ୍ଷା ପ୍ରଣାଳୀ ବଦଳାଇବାକୁ ଚେଷ୍ଟା କଲେ। ଅନୁନ୍ନତ ଏବଂ ଦରିଦ୍ର ଦେଶଗୁଡ଼ିକରେ ପଶୁଙ୍କ ପରିବର୍ତ୍ତେ ସିଧାସଳଖ ମଣିଷଙ୍କ ଉପରେ ପରୀକ୍ଷା ଆରମ୍ଭ କରିଦିଆଗଲା। ଆଫ୍ରିକାର କେତେକ ରାଷ୍ଟ୍ର ସମେତ ଏସିଆରେ ଫିଲିପାଇନ୍ସ ଓ ଭାରତରେ ବିଭିନ୍ନ ପ୍ରକାର ନୂଆ ଔଷଧ ପିଲାଙ୍କଠାରୁ ବୃଦ୍ଧଙ୍କ ଉପରେ ପରୀକ୍ଷା କରାଯାଉଥିଲା। ଏବେ କିନ୍ତୁ ଫିଲିଫାଇନ୍ସ ସହିତ ଆଫ୍ରିକାର ପ୍ରାୟ ସବୁ ଦେଶରେ ଏଭଳି ପରୀକ୍ଷାକୁ ବେଆଇନ ଘୋଷଣା କରିଦିଆଯାଇଛି। କିନ୍ତୁ ଭାରତରେ ସେଭଳି ପରୀକ୍ଷା ପାଇଁ ବିଭିନ୍ନ ସ୍ତରରେ କୋହଳ ମନୋଭାବ ପୋଷଣ କରାଯାଉଛି। ଭାରତରେ ଶିଶୁଙ୍କ ଔଷଧଗୁଡ଼ିକ ଅନେକ ପ୍ରତିଷ୍ଠିତ ଡାକ୍ତରଙ୍କ ସହଯୋଗରେ ପରୀକ୍ଷା କରାଯାଉଥିବାର ଏକ ରିପୋର୍ଟ ପ୍ରକାଶ ପାଇଥିଲା। ସେହି ଘରୋଇ ରିପୋର୍ଟ ଅନୁଯାୟୀ ବିଭିନ୍ନ ପରିଚିତ ଶିଶୁ ଡାକ୍ତରଙ୍କ ସମର୍ଥନ ଲୋଡ଼ାଯାଇ ଯେଉଁସବୁ ପରୀକ୍ଷା କରାଯାଉଥିଲା, ସେଗୁଡ଼ିକ ଉପରେ ନିୟମିତ ମତ ଦେବା ପାଇଁ ସେମାନଙ୍କୁ ପ୍ରଚୁର ଅର୍ଥ ପ୍ରଦାନ ସହିତ ଫାର୍ମା କମ୍ପାନୀଗୁଡ଼ିକ ଡାକ୍ତରଙ୍କୁ ବାରମ୍ବାର ବିଦେଶ ବୁଲିବାର ସୁଯୋଗ ଦେଉଥିଲେ। ଏଭଳି ସାମାଜିକ ଅପରାଧ କେବଳ ଭାରତରେ ସମ୍ଭବପର ହୋଇପାରେ।
ଖବର ମିଳିଛି ଯେ, ଭାରତ ସରକାର ପଶୁମାନଙ୍କ ପ୍ରତି କ୍ରୂରତା ନିବାରଣ (ପ୍ରୟୋଗଶାଳାରେ ଥିବା ପଶୁଙ୍କ ପରୀକ୍ଷଣ, ପ୍ରଜନନ ଏବଂ କାରବାରର ନିୟନ୍ତ୍ରଣ ଓ ନିରୀକ୍ଷଣ) ନିୟମ, ୨୦୨୬ ଚିଠା ପ୍ରସ୍ତାବ ୩୦ ସେପ୍ଟେମ୍ବର ୨୦୨୬ରେ ଆଣିଥିଲେ। ଗେଜେଟ ବିଜ୍ଞପ୍ତି ୬ ଅକ୍ଟୋବରରେ ପ୍ରକାଶ ପାଇବା ପରେ ପ୍ରାଣୀପ୍ରେମୀମାନେ ଘୋର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ଚିଠା ପ୍ରସ୍ତାବରେ ପ୍ରଚଳିତ ନିୟମକୁ ଅତିମାତ୍ରାରେ ବଦଳାଇ ପ୍ରାଣୀଙ୍କ ଉପରେ ପରୀକ୍ଷଣକୁ ସହଜ କରିଦିଆଯାଇଛି। ସରଳ ଭାଷାରେ କହିଲେ ବର୍ତ୍ତମାନର ନିୟମ ଅଧୀନରେ, ‘ଇନ୍ଷ୍ଟିଚ୍ୟୁଶନାଲ ଆନିମଲ ଏଥିକ୍ସ କମିଟି’ (ଆଇଏଇସିଏସ୍) ମୂଷା ଓ ଠେକୁଆ ଭଳି ଛୋଟ ପଶୁଙ୍କ ଉପରେ ପରୀକ୍ଷଣକୁ ଅନୁମୋଦନ କରିବାର ବ୍ୟବସ୍ଥା ଥିବା ବେଳେ ବଡ଼ ପଶୁଙ୍କ କ୍ଷେତ୍ରରେ ସାଧାରଣତଃ କେନ୍ଦ୍ରୀୟ କମିଟିର ମଞ୍ଜୁରୀ ଆବଶ୍ୟକ ହୋଇଥାଏ। ମାତ୍ର ନୂତନ ଚିଠା ନିୟମରେ ସବୁଠାରୁ ବଡ଼ ପରିବର୍ତ୍ତନଟି ହେଉଛି ବର୍ତ୍ତମାନର ଅନୁମୋଦନ ବ୍ୟବସ୍ଥାକୁ ବଦଳାଇ ଦିଆଯାଇ ଅଧିକ ପଶୁଙ୍କ ଉପରେ ପରୀକ୍ଷଣକୁ ସହଜ କରିଦିଆଯାଇଛି। ଅର୍ଥାତ୍ କୁକୁର, ମାଙ୍କଡ଼ ଭଳି ପ୍ରାଣୀ ପାଇଁ ଯେଉଁ କେନ୍ଦ୍ରୀୟ ଅନୁମୋଦନ ଲୋଡ଼ା ପଡ଼ିଥାଏ, ତାହା ଆଉ ରହିବ ନାହିଁ। ଫଳରେ ପରୀକ୍ଷଣ ପରିସରକୁ ବହୁ ପଶୁଙ୍କୁ ଅବାଧରେ ନେଇଆଣିହେବ।
ପ୍ରସ୍ତାବିତ ଚିଠା ନିୟମ ବିଭିନ୍ନ ଗବେଷଣା ଅନୁଷ୍ଠାନ, ବିଶ୍ୱବିଦ୍ୟାଳୟ ଏବଂ ଔଷଧ ତଥା ଜୈବ-ଚିକିତ୍ସା ଶିଳ୍ପଗୁଡ଼ିକ ପାଇଁ ଅନୁମୋଦନ ପ୍ରକ୍ରିୟାକୁ ସହଜ କରିବାକୁ ଲକ୍ଷ୍ୟ ରଖିଛି। ଅନେକ ବ୍ୟକ୍ତି ଗିନି ପିଗ୍ ବିଷୟରେ ଜାଣିଛନ୍ତି। କୌଣସି ଔଷଧକୁ ମଣିଷଠାରେ ପ୍ରୟୋଗ କରାଯିବା ପୂର୍ବରୁ ତାହା ମୂଷା, ଠେକୁଆ ଭଳି ଜୀବଙ୍କଠାରେ ପରୀକ୍ଷଣ କରାଯାଇଥାଏ। ବିଜ୍ଞାନ ପାଠ ପଢ଼ୁଥିବା ବିଦ୍ୟାର୍ଥୀଙ୍କ ପ୍ରାରମ୍ଭିକ ପରୀକ୍ଷଣରେ ବେଙ୍ଗ ପାଲଟିଥାଏ ପରୀକ୍ଷଣର ମୁଖ୍ୟ ପ୍ରାଣୀ। ଏବେ ବର୍ଷାଦିନେ ମଧ୍ୟ ପୂର୍ବ ତୁଳନାରେ ବେଙ୍ଗ କ୍ୱଚିତ ଦେଖାଯାଉଛନ୍ତି। ବର୍ତ୍ତମାନ ବଡ଼ ପ୍ରାଣୀଗୁଡ଼ିକୁ ପରୀକ୍ଷାଗାରକୁ ନେଇ ଅନୁଧ୍ୟାନ କରିବା ସକାଶେ ନିୟମରେ ଯେଉଁ ସରଳୀକରଣ କରାଯାଇଛି, ତାହା ପଛରେ ବ୍ୟବସାୟିକ ଲକ୍ଷ୍ୟ ରଖାଯାଇଛି ବୋଲି ଆଲୋଚନା ହେଲାଣି। କିଛିଦିନ ତଳେ ବାଲେଶ୍ୱର ଜିଲାରେ ଠାବ କରାଯାଇଥିବା ୫ ଓରାଙ୍ଗ୍ଉଟାନଙ୍କ କଥା ଅନେକଙ୍କ ମନେଥିବ। ସେହି ଘଟଣା ସ୍ପଷ୍ଟ କରିଦେଇଥିଲା ଯେ, ପଶୁପକ୍ଷୀ ଚାଲାଣ ନେଇ ଅନ୍ତର୍ଜାତୀୟ ର଼୍ୟାକେଟ ସକ୍ରିୟ ରହିଛି। ତେବେ ୧୯୬୮ ଓ ୧୯୯୮ରେ ପ୍ରଣୀତ ନିୟମରେ ବଡ଼ ପ୍ରାଣୀଙ୍କୁ ସହଜରେ ପରୀକ୍ଷଣ କରିବା କଷ୍ଟକର ଥିବାରୁ ପଶୁ ଚୋରାଚାଲାଣ ବଢ଼ିଚାଲିଥିଲା। ପ୍ରସ୍ତାବିତ ନୂତନ ନିୟମ କାର୍ଯ୍ୟକାରୀ ହେଲେ ପରୀକ୍ଷଣ ଓ ଗବେଷଣା ନାମରେ ବିନା ବାଧାରେ ପଶୁଙ୍କୁ ଉଠାଇ ନିଆଗଲେ ଆଉ ପ୍ରଶ୍ନ ପଚାରିବାକୁ କେହି ନ ଥିବେ। ଅର୍ଥାତ୍ ପଶୁଚାଲାଣକୁ ବୈଧ କରିବା ଦିଗରେ ଏହା ଆଉ ଏକ ପଦକ୍ଷେପ ବୋଲି କୁହାଯାଇପାରେ। ବିଶେଷଜ୍ଞଙ୍କ ମତରେ ନୂଆ ପରିବର୍ତ୍ତନ ଦ୍ୱାରା ଅଧିକ ପରୀକ୍ଷଣ ସଂକ୍ରାନ୍ତ ଅନୁମତି ଲାଗି ଆଉ କେନ୍ଦ୍ରୀୟ କମିଟି ପାଖକୁ କାଗଜପତ୍ର ଓ ତଥ୍ୟକୁ ନ ପଠାଇ ଆନୁଷ୍ଠାନିକ ସ୍ତରରେ ଅନୁମୋଦନ କରାଯାଇପାରିବ।
ଏବର ସ୍ଥିତି ଦେଖିଲେ ବିଜ୍ଞାନ ଓ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ କ୍ଷେତ୍ରରେ ଅନେକ ଅଗ୍ରଗତି ଘଟିଲାଣି। ସେଥିଲାଗି ପଶୁଙ୍କ ଶାରୀରିକ ବ୍ୟବଚ୍ଛେଦ ଅପେକ୍ଷା ଉନ୍ନତ ପ୍ରଯୁକ୍ତି ବ୍ୟବହାର କରାଯାଇ ଈପ୍ସିତ ତଥ୍ୟ ସଂଗ୍ରହ କରାଯାଇପାରିବ। ହ୍ୟୁମାନ ୱାଲର୍ଡ ଫର୍ ଆନିମଲ୍ସ ଇଣ୍ଡିଆ କହିଛି ଯେ ଆମେରିକା, ବ୍ରିଟେନ, ୟୁରୋପୀୟ ସଂଘର ସଦସ୍ୟ ରାଷ୍ଟ୍ର, ଚାଇନା ଏବଂ ବ୍ରାଜିଲ ସମେତ ଅନେକ ଦେଶ ପଶୁ ଅଧ୍ୟୟନକୁ ହ୍ରାସ କରିବା କିମ୍ବା ବନ୍ଦ କରିବା ଦିଗରେ ପଦକ୍ଷେପ ନେଲେଣି। ସେହିସବୁ ରାଷ୍ଟ୍ର ମାନବ ଜୀବବିଜ୍ଞାନ ଆଧାରିତ ଗବେଷଣା ପ୍ରଯୁକ୍ତିକୁ ଗ୍ରହଣ କରିବା ଦିଗରେ ପଥ ବିକଶିତ କରୁଛନ୍ତି। ହେଲେ ଭାରତ ବିକଶିତ ରାଷ୍ଟ୍ର ହେବ ବୋଲି କହିବୁଲୁଥିଲେ ମଧ୍ୟ ନେଉଥିବା ପଦକ୍ଷେପଗୁଡ଼ିକ ପଶ୍ଚାତ୍ପଦ ଚିନ୍ତାଧାରାକୁ ଆପଣାଇ ଚାଲୁଛି। କେବଳ ଏତିକି ନୁହେଁ, ପ୍ରତି ପଦକ୍ଷେପରେ ବେପାର ଚିନ୍ତା ରହୁଥିବାରୁ ବୈଜ୍ଞାନିକ ପ୍ରଗତି ମଧ୍ୟ ବାଧାପ୍ରାପ୍ତ ହେଉଛି। ଏଭଳି ପଦକ୍ଷେପ ଭବିଷ୍ୟତରେ ଦେଶର ପରିବେଶ ଓ ପଶୁ ଜଗତ ପାଇଁ କ୍ଷତିକାରକ ହୋଇପାରେ। ପରବର୍ତ୍ତୀ ସମୟରେ ତାହା ମଣିଷଙ୍କ କ୍ଷତି କରିବସିବ।

