ଆଉ ଏକ ଲଘୁଚାପ: ଏସବୁ ଜିଲାରେ୨୯ ଯାଏ ଅତିପ୍ରବଳ ବର୍ଷା, ଘଡ଼ଘଡ଼ି ନେଇ ୱାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୩।୯(ବନ୍ଦନା ସେଠୀ): ଲଗାତର ପଛକୁ ପଛ ଦୁଇଟି ଲଘୁଚାପରେ ସାରା ଓଡ଼ିଶା ଭିଜିବା ସହିତ ଏଥର ପାର୍ବଣ ବର୍ଷାରେ ଧୋଇଯିବ। ଲଘୁଚାପ ପ୍ରଭାବରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୨୯ ତାରିଖ ଯାଏ ପ୍ରବଳ ବର୍ଷା ଚେତାବନୀ ଦିଆଯିବା ସହ ସତର୍କତା ଜାରି କରାଯାଇଛି। ଲଘୁଚାପ ବର୍ତ୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ତଥା ପଶ୍ଚିମବଙ୍ଗ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି। ଏହା ପ୍ରଭାବରେ ଗତ ୨୪ ଘଣ୍ଟାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। କୋରାପୁଟ ଜିଲାର ନନ୍ଦପୁର ଅଞ୍ଚଳରେ ସର୍ବାଧିକ ୧୦.୧ ମି.ମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଅତିପ୍ରବଳ ବର୍ଷା ହେବା ନେଇ ବିଭିନ୍ନ ଜିଲାକୁ ଅରେଞ୍ଜ ୱାର୍ନିଂ ଜାରି ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି।

ଏଥିସହ ଆଗାମୀ ୨୪ଘଣ୍ଟା ମଧ୍ୟରେ ଗାଙ୍ଗେୟ ଉପତ୍ୟକା ଉପରେ ସକ୍ରିୟ ଲଘୁଚାପକ୍ଷେତ୍ର ଦୁର୍ବଳ ହେବ। ଏହାପରେ ସେପ୍ଟେମ୍ବର ୨୫ ସୁଦ୍ଧା ପୂର୍ବକେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ନୂଆ ଲଘୁଚାପ ସୃଷ୍ଟି ହେବ। ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାକୁ ଥିବାବେଳେ ପ୍ରାୟ ୨୬ ତାରିଖ ବେଳକୁ ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର, ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଅବପାତ ରୂପ ନେବ। ୨୭ତାରିଖରେ ଏହା ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ଉଭୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଚେତାବନୀ ଜାରି କରିଛି। ବୁଧବାର ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼କୁ ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ନିଂ ଜାରି ହୋଇଛି। ସେହିପରି ପ୍ରବଳ ବର୍ଷା ନେଇ କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼, ସୁବର୍ଣ୍ଣପୁର, ଦେବଗଡ଼, ବୌଦ୍ଧ ଓ ଅନୁଗୋଳ ଜିଲାକୁ ୟେଲୋ ୱାର୍ନିଂ ଥିବାବେଳେ ବାକି ସମସ୍ତ ଜିଲାକୁ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କି.ମି. ବେଗରେ ପବନ ନେଇ ସତର୍କତା ଜାରି କରାଯାଇଛି। ଗୁରୁବାରଠାରୁ ରବିବାର ପର୍ଯ୍ୟନ୍ତ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସମୁଦ୍ର ଅଶାନ୍ତ ରହିବା ଯୋଗୁ ଗଭୀର ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଘରକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ୨୭ତାରିଖ ଯାଏ ମାଛଧରିବା ବାରଣ କରାଯାଇଛି।

Share
Tags: odisha