ବ୍ରହ୍ମପୁର,୩୧ା୫(ସୁବାସ ପାଢ଼ୀ): ଆଉ ଜଣେ ସରକାରୀ ବାବୁ ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ। ବ୍ରହ୍ମପୁର ଆର୍ ଆଣ୍ଡ୍ ବି ଡିଭିଜନ-୧ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (AEE) ଏନ୍.ଦିଲ୍ଲୀପ କୁମାର ଚୌଧୁରୀଙ୍କ ନାମରେ ଆୟ ବହିଃଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।
ଆଜି ଅର୍ଥାତ୍ ଶନିବାର ମାନ୍ୟବର ସ୍ବତନ୍ତ୍ର ବିଚାରପତି, ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଜାରି ହୋଇଥିବା ସର୍ଚ୍ଚ ଓ୍ବାରେଣ୍ଟ ବଳରେ ୩ ଜଣ ଡିଏସ୍ଏସ୍ପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଚଢ଼ାଉ ଚାଲିଛି।
୧. ଧର୍ମ ନଗର, ବ୍ରହ୍ମପୁରର ସ୍ପେକ୍ଟ୍ରମ ରୟାଲ ଠାରେ ଗୋଟିଏ ୨ ବିଏଚ୍କେ ଫ୍ଲାଟ୍।
୨. ବ୍ରହ୍ମପୁରର ମୟୂରୀ ବିହାରରେ ଗୋଟିଏ ଦୁଇ ମହଲା କୋଠା।
୩. ବ୍ରହ୍ମପୁରର ଆର୍ ଆଣ୍ଡ ବି ଡିଭିଜନ-୧ସ୍ଥିତ ତାଙ୍କ କାର୍ଯ୍ୟାଳୟ।
୪. ଭୁବନେଶ୍ୱରର ଶହୀଦନଗରର ଇଭୋସ୍ ଏକ୍ସୋଟିକା ଆପାର୍ଟମେଣ୍ଟରେ ଗୋଟିଏ ୩ ବିଏଚ୍କେ ଫ୍ଲାଟ୍ରେ ଚଢ଼ାଉ ଚାଲିଛି। ଏବେ ଚଢ଼ାଉ ଜାରି ରହିଥିବାରୁ ସବିଶେଷ ତଥ୍ୟ ପ୍ରକାଶ ପାଇବ ବୋଲି ଜନୈକ ଭିଜିଲାନ୍ସ ଅଧିକାରୀ କହିଛନ୍ତି।
ସେହିପରି ଗତକାଲି (ଶୁକ୍ରବାର) ଓଡ଼ିଶା ଗ୍ରାମୀଣ ଉନ୍ନୟନ (ଆରଡବ୍ଲୁ) ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା। ଏହି ସମୟରେ ତାଙ୍କ ଘରୁ ପୁଳାପୁଳା ଟଙ୍କା ମିଳିଥିଲା।
ଭିଜିଲାନ୍ସ ସୂତ୍ରରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ, ଭୁବନେଶ୍ୱରସ୍ଥିତ ଷଡ଼ଙ୍ଗୀଙ୍କ ପିଡିଏନ ଏକ୍ସୋଟିକା ଫ୍ଲାଟରୁ ପ୍ରାୟ ୧ କୋଟି ଟଙ୍କା ଜବତ ହୋଇଛି। ଏହା ସହିତ ଅନୁଗୋଳ ଜିଲାର କରଡ଼ଗଡ଼ିଆସ୍ଥିତ ତାଙ୍କ ବାସଭବନରୁ ଆହୁରି ୧.୧ କୋଟି ଟଙ୍କା ଜବତ କରାଯାଇଛି। ଜବତ ହୋଇଥିବା ଟଙ୍କାର ଗଣତି ମେଶିନ ଦ୍ୱାରା ଚାଲିଛି। ମୋଟ ଜବତ ହୋଇଥିବା ଅର୍ଥର ପରିମାଣ ପ୍ରାୟ ୨.୧ କୋଟି ଟଙ୍କା ବୋଲି ଅନୁମାନ କରାଯାଉଛି।