ନୂଆପଡ଼ା,୨୦ା୧(ମକାରୁ ବେମାଲ): କିଛିଦିନର ବ୍ୟବଧାନ ପରେ ଛତିଶଗଡ-ନୂଆପଡ଼ା ଜିଲା ସୀମାନ୍ତରେ ପୁଣି ମାଓବାଦୀ ଓ ଯୁବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨ଜଣେ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି। ନିହତ ମାଓବାଦୀ ଓ ଆହତ ଯବାନଙ୍କ ପରିଚୟ ମିଳି ନ ଥିବା ନୂଆପଡା ଅରକ୍ଷୀ ଅଧୀକ୍ଷକ ଗୁନ୍ଦାଳା ରେଡ୍ଡୀ ରାଘବେନ୍ଦ୍ର ସୂଚନା ଦେଇଛନ୍ତି।
ତାଙ୍କ ସୂଚନା ମୁତାବକ ରବିବାର ରାତିରୁ ନୂଆପଡ଼ା ଜିଲା ସୀମାଠାରୁ ୫ କିଲୋମିଟର ଦୂର ଛତିଶଗଡ଼ ମୈନପୁର ଥାନା କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ସଂକ୍ରାନ୍ତରେ ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ସେହି ଅନୁଯାୟୀ ଉଭୟ ରାଜ୍ୟର ଯବାନ ମିଳିତ ଭାବେ ଅଭିଯାନ ଆରମ୍ଭ କରିଥିଲେ। ମଧ୍ୟ ରାତ୍ରରୁ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁଇଜଣ ମାଓବାଦୀ ନିହତ ହୋଇଥିବା ବେଳେ ଛତିଶଗଡର ଜଣେ ଯବାନ ଆହତ ହୋଇ ରାୟପୁରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଘଟଣାସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ମାଓବାଦୀ ସାମଗ୍ରୀ ଜବତ କରାଯାଇଛି। ଏଥିରେ ଗୋଟିଏ ଏସ୍ଏଲ୍ଆର୍, ୩ଟି ଆଇଡି ସହ ଏଲ୍ଇଡି ଓ ଅନ୍ୟାନ୍ୟ ସାମଗ୍ରୀ ରହିଛି। ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ ତଲାସୀ ଅଭିଯାନ ଜୋରଦାର କରାଯାଇଛି। ମିଳିତ ଅପରେଶନରେ ୩ଟି ଏସ୍ଓଜି ଟିମ, ଛତିଶଗଡ ପୋଲିସର ୨ ଇ-୩୦ ଟିମ୍ ଓ ୫ ସିଆର୍ପିଏଫ୍ ଯବାନ ସାମିଲ ଅଛନ୍ତି ା ମାଓବାଦୀ ଦମନ ପାଇଁ କୋମ୍ବିଂ ଅପରେଶନକୁ ଆହୁରି ଜୋରଦାର କରାଯିବ ବୋଲି ଏସ୍ପି ରାଘବେନ୍ଦ୍ର କହିଛନ୍ତି। ପ୍ରକାଶଥାଉ କି କିଛିଦିନ ପୂର୍ବେ ଛତିଶଗଡ-ନୂଆପଡ଼ା ଜିଲା ସୀମାଠାରୁ ୮ କିଲୋମିଟର ଦୂରରେ ମାଓବାଦୀ ଓ ଯବାନଙ୍କ ଗୁଳି ବିନିମୟରେ ଜଣେ ମାଓବାଦୀ ନିହତ ହୋଇଥିଲେ। ସେତେବେଳେ ଘଟଣାସ୍ଥଳରୁ ବିପୁଳ ପରିମାଣ ଅସ୍ତ୍ରଶସ୍ତ୍ର ଓ ମାଓବାଦୀ ସାମଗ୍ରୀ ଜବତ ହୋଇଥିଲା।