ସାଲିଆସାହିରେ ପୁଣି ଦେଶୀମଦ କାରଖାନା ଠାବ: ପୋକ ସାଲୁବାଲୁ ଫଳରୁ ତିଆରି ହେଉଥିଲା ପୋଚ

ଭୁବନେଶ୍ୱର,୧୨ା୧(ତ୍ରିନାଥ ମହାନ୍ତି):ସାଲିଆସାହିରେ ଦେଶୀ ମଦ କାରଖାନା ସତେଯେମିତି କୁଟୀର ଶିଳ୍ପ ପାଲଟିଛି। ଯେତେ ଚଢ଼ାଉ ଓ ଉଚ୍ଛେଦ ହେଲେ ମଧ୍ୟ ଏହି ବେଆଇନ କାରବାର ବନ୍ଦ ହେଉନି। ରବିବାର ଅବକାରୀ ବିଭାଗ ସାଲିଆସାହିର ନୟାଗଡ଼ ବସ୍ତିରେ ଚଢ଼ାଉ କରି ପୁଣି ଏକାଧିକ ବେଆଇନ ଦେଶୀ ମଦ ଭାଟି ଠାବ କରିବା ସହ ସେଠାରୁ ବିପୁଳ ପୋଚ ସାଙ୍ଗକୁ ଇଷ୍ଟ ପାଉଡର, ଆଲକହଲ ମିଟର ଓ ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରିଛି। ୬ଟି ସ୍ଥାନରେ ହେଉଥିଲା ଦେଶୀ ମଦ ପ୍ରସ୍ତୁତି। ଏକ ଘରେ ବଡ଼ ମଦ ଭାଟି ଚାଲିଥିଲା। ତଳେ କୁକୁଡ଼ା ଭାଡ଼ି କରାଯାଇଥିବା ବେଳେ ଉପରେ ଲୁଚାଇ ରଖାଯାଇଥିଲା ଡ୍ରମ୍‌ ଡ୍ରମ୍‌ ପୋଚ। ଅନ୍ୟ ଏକ ରୁମ୍‌ରେ ଚୁଲା କରାଯାଇ ପୋକ ସାଲୁବାଲୁ ହେଉଥିବା ପଚା ଫଳ, ପରିବା ଓ ଚାଉଳରୁ ପ୍ରସ୍ତୁତ ହେଉଥିଲା ଦେଶୀ ମଦ। ଚଢ଼ାଉ ହୋଇଥିବା ୬ଟି ସ୍ଥାନରୁ ପ୍ରାୟ ୬ ହଜାର ଲିଟର ଦେଶୀ ମଦ ଜବତ କରାଯାଇଥିବାବେଳେ ଏଥିରେ ୩୦୦୦ ଲିଟର ରାଇସ୍‌ ପୋଚ, ୧୨୦୦ ଲିଟରରୁ ଅଧିକ ଫ୍ରୁଟ୍‌ ପୋଚ ରହିଥିଲା। ତେବେ ମଦ ପ୍ରସ୍ତୁତି ଓ କାରବାରରେ ସମ୍ପୃକ୍ତ ଥିବା ୬ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି।
ଅବକାରୀ ବିଭାଗର ୪ ଟିମ୍‌ ଏହି ଚଢ଼ାଉରେ ସାମିଲ ହୋଇଥିଲା। ଚଢ଼ାଉ ସମୟରେ କିପରି ବିପଜ୍ଜନକ ଭାବେ ଏହି ସ୍ବାସ୍ଥ୍ୟହାନିକାରୀ ଦେଶୀ ମଦ ପ୍ରସ୍ତୁତ କରାଯାଉଥିଲା ତାହା ଦେଖିବାକୁ ପାଇଥିଲେ ଅଧିକାରୀମାନେ। ଡ୍ରମ୍‌ରେ ଅତି ଖରାପ ମାନର କମଳା, ଡାଳିମ୍ବ ଆଦି ବିଭିନ୍ନ ଫଳରେ ପୋଚ ତିଆରି କରାଯାଉଥିଲା। ପଚା ଫଳରେ ପୋକ ସାଲୁବାଲୁ ହେଉଥିଲେ। ଜବତ ଆଲକହଲ ମିଟରକୁ ଅଶିକ୍ଷିତ ମାନେ ପରିଚାଳନା କରୁଥିଲେ। ବଡ଼ କଥା ହେଲା, ଅବକାରୀ ବିଭାଗ ଏବଂ ପୋଲିସ ପକ୍ଷରୁ ସାଲିଆସାହିରେ ବାରମ୍ବାର ଚଢାଉ କରାଯାଇ ଦେଶୀ ମଦ ଭାଟି ଭଙ୍ଗା ଯାଉଛି। ହେଲେ କଠୋର କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ମଦ ମାଫିଆମାନେ ଲୋକଙ୍କ ଜୀବନ ସହ ଖେଳ ଖେଳିବାକୁ ସାହସ କରୁଛନ୍ତି।

 

Dharitri – Odisha’s No.1 Odia Daily