ପୁଣି ଜଣେ ୫୧ ବର୍ଷୀୟ ଦାଦନ ଶ୍ରମିକ ନିଖୋଜ, ଚିନ୍ତାରେ ପରିବାର

କଲ୍ୟାଣସିଂହପୁର, ୨୧।୧୧( ଦୀପକ କୁମାର ପରିଡ଼ା ): ଦାଦନ କାମ ପାଇଁ ଯାତ୍ରା କଲାବେଳେ ଟ୍ରେନରୁ ସମୟରେ ଓହ୍ଲାଇ ପାରି ନ ଥିବାରୁ ଏକ ୫୧ ବର୍ଷୀୟ ଶ୍ରମିକ ନିଖୋଜ ହୋଇଯାଇଥିବା ଖବର ମିଳିଛି। ଘଟଣାକୁ ନେଇ ପରିବାର ସଦସ୍ୟମାନେ ଅତ୍ୟନ୍ତ ଚିନ୍ତିତ ଓ ଖୋଜାଖୋଜିରେ ଲାଗିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର କରପା ପଞ୍ଚାୟତ ଅଧୀନ ସିଙ୍ଗାପଟ୍ଟା ଗାଁର ଶିରି କାଡ୍ରାକା (୫୧) ଗତ ଗୁରୁବାର ଦାଦନ କାମ ପାଇଁ ରାୟଗଡାରୁ ବିଜେୱାଡାକୁ ଯାଉଥିଲେ । ସେଠାରେ ରାଣୀପଦର ଗାଁର ୮ ଜଣ ଓ ସିଙ୍ଗାପଟ୍ଟାର ୭ ଜଣ ମିଶି ୧୫ ଜଣର ଦଳ ଏକାଠି ଯାତ୍ରା କରୁଥିଲେ।

ଟ୍ରେନ ବିଜେୱାଡା ଷ୍ଟେଶନରେ ପହଞ୍ଚିବା ପରେ ସମସ୍ତେ ଓହ୍ଲାଇ ଥିବାବେଳେ ଶିରି କାଡ୍ରାକା ଟ୍ରେନରୁ ଓହ୍ଲାଇ ପାରି ନ ଥିବା  ପୁଅ ଅମିନ କାଡ୍ରାକା ସୂଚନା ଦେଇଛନ୍ତି। ଏହା ପରେ ସେ କେଉଁଠାକୁ ଗଲେ, କେଉଁଠି ଅଛନ୍ତି  ତାଙ୍କର ଖବର ଅସ୍ପଷ୍ଟ ରହିଛି। ପରିବାର ଓ ସହ ଯାତ୍ରୀମାନେ ବିଜେୱାଡା ଓ ଅନ୍ୟାନ୍ୟ ଷ୍ଟେଶନରେ ଖୋଜାଖୋଜି ଆରମ୍ଭ କରିଛନ୍ତି। ଏବେ ପର୍ଯ୍ୟନ୍ତ ଶିରି କାଡ୍ରାକାଙ୍କ ଥିବାସ୍ଥାନ ବିଷୟରେ କୌଣସି ସୂଚନା ମିଳିନାହିଁ।

Dharitri – Odisha’s No.1 Odia Daily

Share