ପୁରୁଷୋତ୍ତମପୁର,୧୦।୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି l ଖବର ସଂଗ୍ରହ କରିବାକୁ ଯାଇଥିବା କିଛି ଖବରଦାତାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନ୍ଏମ୍ ନାଲିଆଖି ଦେଖାଇ ଅସଦ୍ବ୍ୟବହାର ପ୍ରଦର୍ଶନ କରିବା ସହ ମାଡମାରିବା ପାଇଁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଫଳରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ଖବରଦାତାମାନେ ବ୍ରହ୍ମପୁର ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟକୁ ଯାଇଥିବା ବେଳେ ସେ ଅନୁପସ୍ଥିତ ଥିବାରୁ ଫୋନଯୋଗେ ଜଣାଇଥିଲେ। ଏହାକୁ ନେଇ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଜିଲା ମୁଖ୍ୟ ଚିକତ୍ସା ଅଧିକାରୀ ଭବାନୀଶଙ୍କର ମିଶ୍ର କହିଛନ୍ତି। ଏହାସହ ଗଞ୍ଜାମ ଜିଲାପାଳଙ୍କୁ ମଧ୍ୟ ଖବରଦାତାମାନେ ଅବଗତ କରାଇଛନ୍ତି।
ସୂଚନାଯୋଗ୍ୟ ଯେ, ପୁରୁଷୋତ୍ତମପୁର ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ସମ୍ପୂର୍ଣ୍ଣରୂପେ ବିପର୍ଯ୍ୟସ୍ତ ହୋଇପଡିଥିବାରୁ ରୋଗୀମାନେ ହନ୍ତସନ୍ତ ହେଉଥିବାନେଇ କିଛି ଖବରଦାତା ସ୍ବାସ୍ଥ୍ୟକେନ୍ଦ୍ରକୁ ଖବରସଂଗ୍ରହ ଲାଗି ଯାଇ ସେଠାରେ ଭିଡିଓ ଏବଂ ଫଟୋ ଉଠାଉଥିବା ବେଳେ ଉପସ୍ଥିତ ଏଏନ୍ଏମ୍ ସଂଯୁକ୍ତା ପାତ୍ର ହଠାତ୍ ଉତ୍ତ୍ୟକ୍ତ ହୋଇ ଭିଡିଓ ଫଟୋ ଉଠାଇବାକୁ କିଏ ଅଧିକାରଦେଲା ବୋଲି ପ୍ରଶ୍ନକରି ଅସଦ୍ବ୍ୟବହାର ପ୍ରଦର୍ଶନ କରିବାସହ ମାଡମାରିବାକୁ ହାତଉଠାଇ ଧମକ ଦେଇଥିଲେ। ଖବରପାଇ ସମସ୍ତ ଖବରଦାତା ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ଏହାର ପ୍ରତିବାଦ କରିଥିବା ବେଳେ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଶୁଭାଶିଷ ଗୋସ୍ବାମୀ ଆସି ଖବରଦାତାମାନଙ୍କୁ ବୁଝାଶୁଝା କରିବା ସହ ଆଲୋଚନା ଲାଗି ଏଏନଏମଙ୍କୁ ଡକାଇଥିଲେ। ମାତ୍ର ସେ ଆସି ନ ଥିଲେ। ଫଳରେ ଖବରଦାତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ସମସ୍ତ ଖବରଦାତା ଏକତ୍ରିତ ହୋଇ ଜିଲା ମୁଖ୍ୟ ଚିକତ୍ସା ଅଧିକାରୀଙ୍କ ନିକଟରେ ଦାବି ଜଣାଇଥିଲେ।
Dharitri – Odisha’s No.1 Odia Daily