ଆନ୍ଧ୍ରର ଚକ୍ରାନ୍ତ: ଓଡ଼ିଶା ଯୋଜନାକୁ ସୀମାନ୍ତବର୍ତ୍ତୀ ୭ ଗାଁର ବର୍ଜନ ନିଷ୍ପତ୍ତି

ପଟ୍ଟାଙ୍ଗି,୯ା୧୨(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗ୍ରାମ ନିକଟ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ୭ ଗ୍ରାମର ମୁଖିଆ ଓ ଗ୍ରାମବାସୀ ଏକତ୍ର ହୋଇ ସୋମବାର ଏକ ବୈଠକ କରିଛନ୍ତି। ଓଡ଼ିଶାର ସମସ୍ତ ସରକାରୀ ଯୋଜନା ଗ୍ରହଣ ନ କରିବାକୁ ଏଥିରେ ନିଷ୍ପତ୍ତି ନିଆଯାଇଛି। ପଟ୍ଟାଙ୍ଗି ବ୍ଲକ୍‌ ପ୍ରଶାସନ ଏ କ୍ଷେତ୍ରରେ କୌଣସି ଆଗ୍ରହ ପ୍ରକାଶ କରି ନ ଥିବା ଜଣାପଡ଼ିଛି।
ଆନ୍ଧ୍ର ସରକାରଙ୍କ ଏଜେଣ୍ଟମାନଙ୍କ ନେତୃତ୍ୱରେ ଫାଟୁସିନେରୀ, ଫଗୁଣସିନେରୀ, ସଲପଗୁଡ଼ା, ହରମାଣ୍ଡାଙ୍ଗି, କଣାଦୋରା, ତଳଗଞ୍ଜେଇପଦର ଓ ଢୋଳିଆମ୍ବ ଆଦି ଗ୍ରାମର ମୁଖିଆ ଓ ଗ୍ରାମବାସୀ ଏକତ୍ର ହୋଇଛନ୍ତି। ନଭେମ୍ବର ୨୫ରେ ଆନ୍ଧ୍ରର କୃଷି ବିଭାଗର କେତେଜଣ ଅଧିକାରୀଙ୍କ ଦ୍ୱାରା ହରମାଣ୍ଡାଙ୍ଗି, ଫାଟୁସିନେରୀ ଓ ଢୋଳିଆମ୍ବ ଆଦି ଗ୍ରାମରେ ହେଉଥିବା ସର୍ଭେକୁ ପଟ୍ଟାଙ୍ଗି ବ୍ଲକ୍‌ ପ୍ରଶାସନ ବନ୍ଦକରି ସର୍ଭେ କାଗଜକୁ ଜବତ କରିଥିଲା। ଏହାକୁ ବୈଠକରେ ବିରୋଧ କରାଯାଇଛି। ଓଡ଼ିଶା ପକ୍ଷରୁ ଯୋଗାଇ ଦିଆଯାଉଥିବା ସମସ୍ତ ଯୋଜନା ତଥା ଶିକ୍ଷା, ଭତ୍ତା ଆଦି ବ୍ୟବସ୍ଥାକୁ ଗ୍ରହଣ ନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଫାଟୁସିନେରୀ ଗ୍ରାମ ନିକଟ ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଲାଗିଥିବା ଓଡ଼ିଶାର ନାମଫଳକକୁ ଭାଙ୍ଗିଦେଇ ଘୋର ପ୍ରତିବାଦ କରାଯାଇଥିଲା। ବୈଠକ କରିବା ପୂର୍ବରୁ ଫାଟୁସିନେରୀରେ ଅବସ୍ଥିତ ଓଡ଼ିଶାର ପ୍ରାଥମିକ ବିଦ୍ୟାଳୟକୁ ଅଭିଭାବକମାନେ କୌଣସି ପିଲାଙ୍କୁ ଛାଡ଼ି ନ ଥିଲେ। ଏହି ସ୍କୁଲକୁ ପିଲାଙ୍କୁ ନ ଛାଡ଼ିବାକୁ ଆନ୍ଧ୍ରର ଏଜେଣ୍ଟମାନେ ସେମାନଙ୍କୁ ବୁଝାଇଲେ। ଗ୍ରାମବାସୀଙ୍କ ବୈଠକ ନେଇ ସ୍ଥାନୀୟ ବ୍ଲକ୍‌ ପ୍ରଶାସନ ଅବଗତ ହୋଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନ ଥିଲା।
ସୂଚନାଯୋଗ୍ୟ, କୋଟିଆ ପଞ୍ଚାୟତ ସୀମାନ୍ତ ଉପରସେମ୍ବି ଗ୍ରାମରେ ଓଡ଼ିଶା ପକ୍ଷରୁ ଅଙ୍ଗନଓ୍ବାଡି କେନ୍ଦ୍ର ଆରମ୍ଭ କରାଯାଇଥିଲା। ଓଡ଼ିଶାର ଏହି ଅଙ୍ଗନଓ୍ବାଡି କେନ୍ଦ୍ର ଓ ବିଦ୍ୟାଳୟକୁ ଗ୍ରାମବାସୀ ପିଲାମାନଙ୍କୁ ପଠାଇବା ବନ୍ଦ କରିଦେଇଛନ୍ତି। ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲିବାକୁ ମଧ୍ୟ ବାରଣ କରାଯାଇଛି। ତେବେ ସ୍ଥାନୀୟ ବ୍ଲକ୍‌ ପ୍ରଶାସନ ପକ୍ଷରୁ ବନ୍ଦ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ଓ ବିଦ୍ୟାଳୟ ଖୋଲିବା ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଜଣାପଡ଼ିଛି। ଅଙ୍ଗନଓ୍ବାଡି କର୍ମୀ ଓ ଶିକ୍ଷକ ନିୟମିତ ଗ୍ରାମରେ ପହଞ୍ଚି ଅଭିଭାବକମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା ଜାରି ରଖିଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ। ଏ ସମ୍ପର୍କରେ ପଟ୍ଟାଙ୍ଗି ବିଡିଓ ରାମକ୍ରିଷ୍ଣା ନାୟକଙ୍କୁ ପଚାରିବାରୁ ଘଟଣା ବିଷୟରେ ଅବଗତ ଅଛି। ଏ ନେଇ ଜିଲା ପ୍ରଶାସନଙ୍କୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି। ଏ ବିଷୟରେ ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ସହ କୌଣସି ଯୋଗାଯୋଗ ହୋଇପାରିନାହିଁ। ଉପଜିଲାପାଳ ପ୍ରେମଲାଲ ହିଆଲଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ କୌଣସି ଖବର ଆସିନାହିଁ। କିନ୍ତୁ ପଟ୍ଟାଙ୍ଗି ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆଙ୍କ ସହ ଆଲୋଚନା କରି ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily