ପାରଳାଖେମୁଣ୍ଡି,୧ା୧୨ (ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡିରେ ଥିବା ଓମ୍ଫେଡର ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ର ଯେଉଁ ଲକ୍ଷ୍ୟ ନେଇ ପ୍ରତିଷ୍ଠା ହୋଇଥିଲା ତାହା ବିଫଳ ହେବାରୁ ସରକାରୀ ଅବହେଳା ଓ ଉଦାସୀନତାର ଶିକାର ହୋଇଛି। ଫଳରେ କେନ୍ଦ୍ରରେ ରହିଥିବା ବହୁ କୋଟି ଟଙ୍କାର ଯନ୍ତ୍ରପାତି ନଷ୍ଟ ହେବାରେ ଲାଗିଛି। ଦିନେ ପ୍ରକ୍ରିୟାକରଣ ପାଇଁ ଦୈନିକ ୧୦ ହଜାର ଲିଟର କ୍ଷୀର ଆସୁଥିବା ବେଳେ ଏବେ ଆସୁଛି ମାତ୍ର ୧୦୦ ଲିଟର। ଏହାଦ୍ୱାରା ଦୁଗ୍ଧ ଚାଷୀଙ୍କୁ ଯେ ପ୍ରୋତ୍ସାହନ ମିଳୁନାହିଁ ତାହା ସ୍ପଷ୍ଟ ହୋଇଯାଇଛି।
ପ୍ରକ୍ରିୟାକରଣ କେନ୍ଦ୍ରର ଠିକ୍ ପରିଚାଳନା ନ ହେବାରୁ କ୍ରମଶଃ ଏହା କ୍ଷତିଆଡ଼କୁ ମୁହଁାଇ ଏକପ୍ରକାର ବନ୍ଦ ଅବସ୍ଥାକୁ ଆସିଯାଇଛି। ଏଠାରେ ରହିଥିବା ବହୁମୂଲ୍ୟର ଯନ୍ତ୍ରପାତି ରକ୍ଷଣାବେକ୍ଷଣ ନ ହେବାରୁ ନଷ୍ଟ ହେବାରେ ଲାଗିଛି। କେନ୍ଦ୍ରର ଛାତ ଦୁର୍ବଳ ହୋଇପଡ଼ି ଲୁହାରଡ୍ ଦେଖାଯାଉଛି। ଏବେ ଆନ୍ଧ୍ରର ଦୁଇ ଘରୋଇ କମ୍ପାନୀ ବିଶାଖା ଡେଏରି ଏବଂ ହେରିଟେଜ୍ ଡେଏରିକୁ ଚାଷୀ ପ୍ରତ୍ୟହ ୧୫ ହଜାର ଲିଟର କ୍ଷୀର ଯୋଗାଉଥିବା ବେଳେ ଦୁଇଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେଉଥିବା ଓଡ଼ିଶାର ଏହି ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ରକୁ ଚାଷୀ ଆଉ କ୍ଷୀର ଆଣିବାକୁ ଆଗ୍ରହ ଦେଖାଉନାହାନ୍ତି। ବିଭାଗୀୟ ଅବହେଳା ଓ ଉଦାସୀନତା ଯୋଗୁ ଆମକୁ ଦୁଗ୍ଧ ଚାଷପାଇଁ କିଛି ପ୍ରୋତ୍ସାହନ ନ ମିଳିବାରୁ ଆମେ ଏହି ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ରକୁ କ୍ଷୀର ଦେଉନାହୁଁ, ଆନ୍ଧ୍ରର ପ୍ରକ୍ରିୟାକରଣ କେନ୍ଦ୍ରକୁ କ୍ଷୀର ଦେଉଛୁ ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳର ଚାଷୀ ଆର. ରାଜା ରାଓ ଏବଂ ରାଘବ ସାହୁ। ସେମାନେ କହିଛନ୍ତି ଯେ, ଓଡ଼ିଶା ପ୍ରକ୍ରିୟାକରଣ କେନ୍ଦ୍ରରେ କ୍ଷୀର ଦେଲେ ତାହାର ମାନ ଯାଞ୍ଚ କରି ଆମକୁ ଲିଟର ପିଛା ୨୫ ଟଙ୍କା, ୩୦ ଟଙ୍କା ଓ ୩୬ ଟଙ୍କା ମିଳୁଥିଲା। ଏବେ ଆନ୍ଧ୍ରର ପ୍ରକ୍ରିୟାକରଣ କେନ୍ଦ୍ରକୁ ଦେଲେ ଅଧିକ ଟଙ୍କା ମିଳୁଛି। ସେମାନେ କ୍ଷୀରର ମାନ ଯାଞ୍ଚ କରି ଆମକୁ ଲିଟର ପିଛା ୪୫ ଟଙ୍କା, ୫୫ ଟଙ୍କା ଓ ୬୫ ଟଙ୍କା ଦେଉଛନ୍ତି ବୋଲି ଉଭୟେ କହିଛନ୍ତି।
ଏକଦା ୧୦ ହଜାର ଲିଟର କ୍ଷୀର ଆସି ପ୍ରକ୍ରିୟାକରଣ ହେଉଥିବା ପାରଳାଖେମୁଣ୍ଡିର ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ରକୁ ଏବେ ମାତ୍ର ୧୦୦ ଲିଟର କ୍ଷୀର ପ୍ରକ୍ରିୟାକରଣକୁ ଆସୁଛି ବୋଲି କହନ୍ତି କାର୍ଯ୍ୟରତ ୨ କର୍ମଚାରୀ ମୁକୁନ୍ଦ କୁମ୍ଭ ଓ ପ୍ରଶାନ୍ତ କୁମାର। ଆନ୍ଧ୍ରର ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ର ଦ୍ୱାରା ଚାଷୀଙ୍କୁ ଲିଟର ପିଛା ଅଧିକ ଟଙ୍କା ଦିଆଯାଉଥିବା ସମ୍ପର୍କରେ ଅତିରିକ୍ତ ଜିଲାପାଳ (ଭାରପ୍ରାପ୍ତ) ମୁନିନ୍ଦ୍ର ହେନେଗାଙ୍କୁ ପଚରାଯିବାରୁ ଏଦିଗରେ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।