ଦାରିଙ୍ଗବାଡ଼ି,୨୪ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରପଞ୍ଚ ଚନ୍ଦ୍ରିକା ମଲିକଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଭିଯୋଗ ଆଣିଛନ୍ତି ୧୬ ଜଣ ଓ୍ବାର୍ଡ ସଭ୍ୟାସଭ୍ୟ। ଶୁକ୍ରବାର ଏନେଇ ବାଲିଗୁଡ଼ା ଉପଜିଲାପାଳ ଡଃ ରୀନା ପ୍ରଧାନଙ୍କ ନିକଟରେ ଫେରାଦ ହୋଇ ଲିଖିତ ଭାବେ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଅଭିଯୋଗ ମୁତାବକ ସରପଞ୍ଚ କୁଆ ପଞ୍ଚାୟତରେ ନିଜର ମନମୁଖୀ ଶାସନ ଚଳାଇଛନ୍ତି। ଓ୍ବାର୍ଡମେମ୍ବରମାନଙ୍କ କଥାକୁ ଗୁରୁତ୍ୱ ଦେଉ ନାହାନ୍ତି। ଆଉ ଯାହା କାମ ପଞ୍ଚାୟତକୁ ଆସୁଛି ନିଜର ନିର୍ଦ୍ଦିଷ୍ଟ ଗୋଟିଏ ଠିକାଦାରଙ୍କୁ ହିଁ ସବୁ ଓ୍ବାର୍ଡର କାମ ଦେଉଛନ୍ତି। ପଞ୍ଚାୟତ ବୈଠକ ପ୍ରତ୍ୟେକ ମାସରେ ବସୁ ନ ଥିବା ବେଳେ ପଲ୍ଲୀସଭା ଓ ଗ୍ରାମସଭା ବୈଠକ ଠିକ୍ ଭାବେ କାର୍ଯ୍ୟକାରୀ ହେଉ ନ ଥିବା ଅଭିଯୋଗ ହୋଇଛି। ପଞ୍ଚାୟତର ଆୟବ୍ୟୟ ଉପସ୍ଥାପନ ନ କରି ନିଜ ମନ ମୁତାବକ ସରପଞ୍ଚ ମନଇଚ୍ଛା ଖର୍ଚ୍ଚ କରୁଥିବା ଓ୍ବାର୍ଡର ସଦସ୍ୟମାନେ ଅଭିଯୋଗ କରିଛନ୍ତି। ପଞ୍ଚାୟତର ମାର୍କେଟ କମ୍ପ୍ଲେକ୍ସ ଓ ବିଭିନ୍ନ ଗୃହକୁ କମ ମୂଲ୍ୟରେ ଭଡ଼ା ଲଗାଯାଇଥିବା ଦର୍ଶାଯାଉଥିବା ଓ ସରପଞ୍ଚ ଏହା ଚଞ୍ଚକତା କରୁଥିବା ଆଦି ଅଭିଯୋଗରେ ଦର୍ଶାଯାଇଛି। ଏଥିରେ ନାଏବ ସରପଞ୍ଚ ଦୀପକ ପ୍ରଧାନ, ଓ୍ବାର୍ଡମେମ୍ବର ରାସନ୍ତ ପ୍ରଧାନ, ବୁଲେଶ୍ୱର ମଲିକ, ସୁନନ୍ଦା ପ୍ରଧାନ,ଝିଲି ପ୍ରଧାନ, ନବିତା ପ୍ରଧାନ, କିଲି ପ୍ରଧାନ, ଅରୂପା ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ବନିତା ପ୍ରଧାନ, ପ୍ରତିମା ପ୍ରଧାନ, ପୁଷ୍ପିତା ପଡ୍ରା, ଜନିତା ପ୍ରଧାନ ପ୍ରମୁଖ ୧୬ ଜଣ ଓ୍ବାର୍ଡ ସଭ୍ୟସଭ୍ୟା ଏହି ଅନାସ୍ଥା ପ୍ରସ୍ତାବ ନେଇ ଉପଜିଲାପାଳଙ୍କ ନିକଟରେ ଫେରାଦ ହୋଇଥିବା ବେଳେ ଦାରିଙ୍ଗବାଡ଼ି ପଞ୍ଚାୟତରେ ୨୨ଟି ଓ୍ବାର୍ଡ ରହିଛି।
ସୂଚନାଥାଉକି, ଏହା ପୂର୍ବରୁ ଗତ ୧୯ ତାରିଖରେ ଦାରିଙ୍ଗବାଡ଼ି ପଞ୍ଚାୟତର ସମସ୍ତ ଓ୍ବାର୍ଡ ସଭ୍ୟାସଭ୍ୟ ମିଶି ଏକ ବୈଠକ କରି ନିଷ୍ପତ୍ତି ନେଇଥିବାବେଳେ ଶୁକ୍ରବାର ଫେରାଦ ହୋଇଛନ୍ତି।