ବାଲିଗୁଡ଼ା,୧୨ା୧୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗଡ଼ ଥାନା ଅଧିନସ୍ଥ ଗୁଟିଙ୍ଗିଆ ପଞ୍ଚାୟତର ତରାପିଡ଼ା ଗ୍ରାମର ୬୭ ବର୍ଷୀୟ ବୃଦ୍ଧ ଦିବାକର ଦିଗାଳ ନିଖୋଜ ହେବାର ୧୫ ଦିନ ପରେ ନିକଟସ୍ଥ ଖଡ଼ଗ ନଦୀରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି।
ସୂଚନାନୁଯାୟୀ, ଅକଟୋବର ୨୯ ତାରିଖରେ ବାଲିଗୁଡ଼ାସ୍ଥିତ ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟକୁ ଦିବାକର ଚିକିତ୍ସା ପାଇଁ ଆସିଥିଲେ। ଚିକିତ୍ସା ପରେ ମଧ୍ୟାହ୍ନଭୋଜନ ଖାଇ କେଉଁଆଡ଼େ ଚାଲିଯାଇଥିଲେ। ଏନେଇ ଡାକ୍ତରଖାନା ପକ୍ଷରୁ ଦିବାକରଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରାଯାଇଥିଲା କିନ୍ତୁ ଦିବାକରଙ୍କ କୌଣସି ସନ୍ଧାନ ମିଳି ନ ଥିଲା। ପରିବାର ପକ୍ଷରୁ ସାରେଙ୍ଗଡ଼ ଥାନାରେ ଏବଂ ହସ୍ପିଟାଲ ପକ୍ଷରୁ ବାଲିଗୁଡ଼ା ଥାନାରେ ପୃଥକ୍ ପୃଥକ୍ ଦୁଇଟି ଏତଲା ଦିଆଯାଇଥିଲା। ଏତଲାକୁ ଭିତ୍ତିକରି ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ମଙ୍ଗଳବାର ଦିନ ବାଲିଗୁ ଦଣ୍ଡପଦର ନିକଟସ୍ଥ ଖଡ଼ଗ ନଦୀରେ ଏକ ଶବ ଭାସୁଥିବା ନେଇ ସ୍ଥାନୀୟ ଲୋକଙ୍କ ନିକଟରୁ ସୂଚନା ମିଳିବା ପରେ ଘଟଣାସ୍ଥଳରେ ବାଲିଗୁଡ଼ା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଚିହ୍ନଟ କରିଥିଲେ। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲା ପୋଲିସ। ଏଯାବତ୍ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

