ବାଇକ୍‌ ଧକ୍କାରେ ବୃଦ୍ଧଙ୍କ ଜୀବନ ଗଲା, ମୃତଦେହକୁ ରାସ୍ତାରେ ଫିଙ୍ଗି ଫେରାର ହୋଇଗଲେ ଚାଳକ

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର-ଜଗନ୍ନାଥପୁର ଗାଁ ନିକଟରେ ଶନିବାର ବାଇକ୍‌ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ରାମଚନ୍ଦ୍ରପୁର ଗ୍ରାମର ଛଞ୍ଚାଣ ପରିଡ଼ା(୫୯)। ଛଞ୍ଚାଣ ଆଜି ଭୋର୍‌ ପ୍ରାୟ ୪ ଟାରେ ଶୌଚ ପାଇଁ ରାସ୍ତାରେ ଯାଉଥିବା ବେଳେ ଏକ ବାଇକ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ରାସ୍ତା ଉପରେ ସେ କଚାଡ଼ି ହୋଇ ପଡ଼ିଯାଇଥିଲେ। ତେବେ ବାଇକ୍‌ ଚାଳକ ଏବଂ ପଛରେ ବସିଥିବା ୨ ଜଣ ଭୟଭୀତ ହୋଇ ବୃଦ୍ଧଙ୍କ ମୃତଦେହକୁ ରାସ୍ତାକଡ଼ର ଏକ ବୁଦା ମଧ୍ୟରେ ଫୋପାଡି ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଘଟଣା ପ୍ରଚାରିତ ହେବା ପରେ ବୃଦ୍ଧଙ୍କ ପରିବାର ଲୋକେ ଏବଂ ରାମଚନ୍ଦ୍ରପୁର ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଧରିବା ସହ କ୍ଷତିପୂରଣ ଦାବିରେ ଜଗନ୍ନାଥପୁର-କଙ୍କୋରଡ଼ା ଗ୍ରାମ ମୁଖ୍ୟରାସ୍ତାରେ ନିଆଁ ଜଳାଇ ରାସ୍ତାରୋକୋ କରିଥିଲେ। ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦଥିଲା। ଖବରପାଇ ସାନଖେମୁଣ୍ଡି ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ,ପାଟପୁର ଥାନା ଆଇଆଇସି ଦୀପ୍ତିରଞ୍ଜନ ବେହେରା ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରିବା ପରେ ସକାଳ ପ୍ରାୟ ୮ଟାରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ପାଟପୁର ପୋଲିସ ଏନେଇ ମାମଲା ରୁଜୁ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡ଼ିଛି।

Share