ସକାଳୁ ସକାଳୁ ଭଞ୍ଜନଗରରେ ଘଟିଛି ଏମିତି କିଛି ଅଘଟଣ: ଜଣଙ୍କୁ ହାଣିଲେ, ଆଉ ଜଣଙ୍କୁ…

ଭଞ୍ଜନଗର,୨୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ କୋକଲବା ନିକଟରେ ଜଣେ ଯୁବକଙ୍କୁ ରବିବାର ପ୍ରତ୍ୟୁଷରେ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମେଡିକାଲରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି।

ସେ ହେଲେ ଖମରାପଲ୍ଲୀର ଶିବରାମ ରାଉତ (୨୫)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲ ପଠାଇଛି। ଶିବରାମ ମାମୁଘର କୋକଲୁଣ୍ଡାରେ ରହୁଥିଲେ। ଗତକାଲି ରାତିରେ ସେ ଦଣ୍ଡନାଚ ଦେଖିବାକୁ ବାଇକ୍‌ରେ ଯିବା ସମୟରେ କୌଣସି ଅଜଣା ଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ସେହିଭଳି ଭଞ୍ଜନଗର ଥାନା ଅନ୍ତର୍ଗତ ଡିହପଢାଲ ନିକଟସ୍ଥ ବଡ଼ନଦୀରେ ଗାଧୋଉଥିବା ସମୟରେ ଜଣେ ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ରବିବାର ସକାଳ ୧୦ ଟାରେ ଆକ୍ରମଣ ହୋଇଛି। ଛାତ୍ର ଜଣଙ୍କ ହେଲେ ନୂଆଗାଁର ଅଶୋକ ନାଇକ। ପୋଲିସ ଏହି ମାମଲାରେ ଆକ୍ରମଣକାରୀଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ପୋଲିସ ସନ୍ଦେହ କରୁଛି।

ଘଟଣାରୁ ପ୍ରକାଶ ଯେ, ଅଶୋକ ଆଜି ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଡିହପଢ଼ାଲର ଜଣେ ଯୁବକ ଆସି ହଠାତ୍‌ କିଛି ଯୁକ୍ତିତର୍କ କରିବା ପରେ ଅଶୋକଙ୍କ ବାମ ହାତକୁ ଖଣ୍ଡାରେ ହାଣି ଦେଇଥିଲେ। ଗୁରୁତର ଅଶୋକଙ୍କୁ ଭଞ୍ଜନଗର ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି। ଏଥିସହ ଆଜି ଭଞ୍ଜନଗର ଗୋବରା ମୁଖ୍ୟ ରାସ୍ତାର ମୁଦୁଲିପଲ୍ଲୀ ନିକଟରେ ଏକ ବାଇକ୍‌ ଧକ୍କାରେ ଜଣେ ବୃଦ୍ଧ ଆହତ ହୋଇଛନ୍ତି। ସେହେଲେ ବାରେଣୀ ନାୟକ।

Dharitri – Odisha’s No.1 Odia Daily

Share