ସମ୍ବଲପୁର,୨୨ା୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ଶନିବାର ଭୋର୍ରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି। ଅନ୍ୟ ୫ ଜଣ ଗୁରୁତର ହୋଇ ବୁର୍ଲା ଭୀମସାରରେ ଭର୍ତ୍ତି ହୋଇଛନ୍ତି। ମୃତକ ହେଲେ ବୌଦ୍ଧ ଜିଲା ଆଦର୍ଶ ଥାନା ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଗ୍ରାମର ଆମ୍ବୁଲାନ୍ସ କର୍ମଚାରୀ ମାନଭଞ୍ଜନ ସାହୁ।
ମିଳିଥିବା ସୂଚନାନୁସାରେ, ବୌଦ୍ଧରୁ ଏକ ୧୦୮ ଆମ୍ବୁଲାନ୍ସ(ଓଡି-୦୨-ବିଏଚ୍-୨୮୯୮) ଜଣେ ରୋଗୀଙ୍କୁ ନେଇ ବୁର୍ଲା ଭୀମସାରକୁ ଆସୁଥିବାବେଳେ ଶନିବାର ଭୋର୍ ସାଢ଼େ ୫ଟା ସମୟରେ ମହୁଲପାଲି ନିକଟ ଜାତୀୟ ରାଜପଥ(୫୫) ପାଶର୍ବରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ଆମ୍ବୁଲାନ୍ସ ଚାଳକ ପାର୍ଶ୍ୱସ୍ଥ ସମ୍ମୁଖ ସିଟ୍ରେ ବସିଥିବା କର୍ମଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହାସହ ଚାଳକ ଓ ରୋଗୀଙ୍କ ସହ ଏଥିରେ ଥିବା ୫ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ଯୁଯୋମୁରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ଅନ୍ୟ ଏକ ଆମ୍ବୁଲାନ୍ସରେ ଭୀମସାରକୁ ପଠାଇଛି। ଏହାସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେହିପରି ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ପୋଲିସ ଜବତ କରିଛି।