ଓଡ଼ିଶାର ଆଉ ୬ଟି ସହରରେ ଚାଲିବ ‘ଆମ ବସ୍’

ପୁରୀ, ୧୨/୯: ରାଜଧାନୀ ଅଞ୍ଚଳ ନଗର ପରିବହନ (CRUT) ଓଡ଼ିଶାର ଆଉ ୬ଟି ସହରାଞ୍ଚଳରେ ଇଲେକ୍ଟ୍ରିକ୍ ବସ୍ (ଇ-ବସ୍) ଚାଲାଇବାକୁ ଯୋଜନା କରିଛି। ରାଜ୍ୟରେ ‘ଆମ ବସ୍’ ସେବାର ବିସ୍ତାର ଅନ୍ତର୍ଗତ ଏହି ଇ-ବସ୍ଗୁଡ଼ିକ ପ୍ରବେଶ କରିବ। CRUT ର ୫୦ତମ ବୋର୍ଡ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

କେନ୍ଦୁଝର, ବାରିପଦା, ଅନୁଗୁଳ, ଝାରସୁଗୁଡ଼ା, ବ୍ରହ୍ମପୁର ଏବଂ ସମ୍ବଳପୁରରେ ଏହି ଇ-ବସ୍ଗୁଡ଼ିକ ଚାଲାଇବାକୁ ଯୋଜନା ରହିଛି। CRUT ଏକ ବୟାନରେ କହିଛି, ସମସ୍ତ ନୂଆ ବସ୍ଗୁଡ଼ିକୁ ଯାତ୍ରୀଙ୍କ ସୁରକ୍ଷା ବୃଦ୍ଧି ପାଇଁ ଅତ୍ୟାଧୁନିକ ଡ୍ରାଇଭର୍ ସହାୟତା ସିଷ୍ଟମ୍ (ଏଡିଏଏସ୍) ସହ ସଜ୍ଜିତ କରାଯିବ।

ପୁରୀର ସମଙ୍ଗାରେ ଇ-ବସ୍ଗୁଡ଼ିକ ପାଇଁ ଏକ ଆଧୁନିକ ଡିପୋ ସ୍ଥାପନ କରାଯିବ, ଯାହା ତୀର୍ଥନଗରୀରେ ବସ୍ ଚାଳନାକୁ ସୁଗମ କରିବ ବୋଲି ସିଆର୍ୟୁଟି ଜଣାଇଛି।

ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, CRUT ୬୭୦ଟି ‘ଆମ ବସ୍’ର ଏକ ବିଶୀଷ୍ଟ ସର୍ବସୁବିଧାଜନକ ସାର୍ବଜନିକ ପରିବହନ ବ୍ୟବସ୍ଥା ଗଢ଼ିଛି, ଯେଉଁଥିରେ ୨୯୦ଟି ଇ-ବସ୍ ଅନ୍ତର୍ଭୁକ୍ତ। ୧,୩୯୯ କିଲୋମିଟର୍ ନେଟୱର୍କରେ ୨,୦୯୯ଟି ବସ୍ ଷ୍ଟପ୍ ସହ ୧୧୫ଟି ରୁଟ୍‌ରେ ପରିଚାଳନା ହେଉଛି। ପ୍ରତିଦିନ ୩ଲକ୍ଷରୁ ଅଧିକ ଯାତ୍ରୀ ଏହାର ସେବା ନେଉଛନ୍ତି।

ଡିଜିଟାଲ୍ ରୂପାନ୍ତରଣରେ CRUT ‘ଆମ ବସ୍’ ଆପ୍, ଏଟିଭିଏମ୍, ‘ଆମ ବସ୍’ କାର୍ଡ୍, ଓଡ଼ିଶା ପାଇଁ ରାଷ୍ଟ୍ରୀୟ ସାଧାରଣ ମୋବିଲିଟି କାର୍ଡ୍ (ଏନସିଏମ୍ସି) ଏବଂ ଓ୍ହାଟ୍ସ୍ଆପ୍ ଆଧାରିତ ଟିକେଟିଂ ସିଷ୍ଟମ୍ ଚାଲୁ କରିଛି।

ପୂର୍ବରୁ, ରାଜ୍ୟ ସରକାର ‘ଆମ ବସ୍’ ଟିକେଟ୍ ଏବଂ ଚିଲିକା ହ୍ରଦରେ ଫେରି ସେବା ପାଇଁ ଅନଲାଇନ୍ ବୁକିଂ ଚାଲୁ କରିଛି।

Share