ପୁଣି ମୁଣ୍ଡନେଲା ଆମ ବସ୍‌: ବାଇକ୍‌କୁ ପଛରୁ ଧକ୍କା ଦେଇ ଚଢ଼ିଗଲା, ବସ୍‌ ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ଲୋକେ

ବାରଙ୍ଗ/ତ୍ରିଶୂଳିଆ,୧୫।୭(ଲିଙ୍ଗରାଜ ରାଉତ/ତୁଷାରକାନ୍ତ ବେହେରା): ବେପରୁଆ ଗାଡ଼ିଚାଳନା ଯୋଗୁ ଆମ ବସ୍‌ ଧକ୍କାରେ ସୋମବାର ରାତିରେ ପୁଣି ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କଟକ ରାଣୀହାଟ ବେହେରା ସାହିର ଶୁଭେନ୍ଦୁ ପରିଡ଼ା। ଏହାକୁ ନେଇ କରି ଉତ୍ତ୍ୟକ୍ତ ଲୋକେ ସେଠାରେ ହୋହଲ୍ଲା କରିଥିଲେ। ବାରଙ୍ଗ ଥାନା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେବାରୁ ଉତ୍ତେଜନା ଥମିଥିଲା। ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇବା ସହ ଦୁର୍ଘଟଣା ଘଟାଇଥିବା ଆମ ବସ୍‌କୁ ଜବତ କରି ଥାନାକୁ ଆଣିଥିଲା।

ତେବେ ଘଟଣାସ୍ଥଳରୁ ବସ୍‌ଚାଳକ ଫେରାର ହୋଇଯାଇଥିବା ପୋଲିସ କହିଛି। ଯେ, ସୋମବାର ରାତିରେ ୧୮ନଂ. ରୁଟ୍‌ରେ ଯାଉଥିବା ଆମ ବସ୍‌ (ଓଡ଼ି ୩୩ ଭି ୪୫୭୭) ଭୁବନେଶ୍ୱରରୁ ଯାତ୍ରୀ ନେଇ ଜଗତପୁର ଅଭିମୁଖେ ଦ୍ରୁତଗତିରେ ଯାଉଥିଲା। ରାତି ପ୍ରାୟ ୮ଟା ୧୦ ମିନିଟ୍‌ ସୁଦ୍ଧା ଆମ ବସ୍‌ଟି ବାରଙ୍ଗ ବ୍ଲକ ସାମ୍ନାରେ ପହଞ୍ଚିଥିଲା। ଶୁଭେନ୍ଦୁ ବସ୍‌ ଆଗରେ ଯାଉଥିବେଳେ ବାରଙ୍ଗ ମୁଖ୍ୟରାସ୍ତାରେ ଏକ ଖାଲ ଥିବାରୁ ସେ ବାଇକ୍‌ର ଗତି କମାଇଥିଲେ। ଏହି ସମୟରେ ଆମ ବସ୍‌ ତାଙ୍କ ବାଇକ୍‌ (ଓଡ଼ି ୦୫ ଏଜେଡ୍‌ ୪୦୩୨)କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଶୁଭେନ୍ଦୁ ବାଇକ୍‌ରୁ ଛିଟିକି ପଡ଼ି ଆମ ବସ୍‌ରେ ପିଟିହୋଇ ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଉପସ୍ଥିତ ସ୍ଥାନୀୟ ଲୋକେ କହିଛନ୍ତି।

ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଆମ ବସ୍‌ର ଆଗ କାଚକୁ ଭାଙ୍ଗିବା ସହ ଚାଳକଙ୍କ ବେପରବାୟ ଗାଡ଼ି ଚାଳନାକୁ ବିରୋଧ କରି ହୋହହ୍ଲା ଆରମ୍ଭ କରିଥିଲେ। ଖବରପାଇ ବାରଙ୍ଗ ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ୱାଳ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। କିନ୍ତୁ ମୃତକଙ୍କ ପରିବାରକୁ କ୍ଷତିପୁରଣ ଓ ଆମ ବସ୍‌ର ମନମାନୀ ଉପରେ ଅଙ୍କୁଶ ଲଗାଇବା ଜିଦ୍‌ରେ ଉତ୍ତ୍ୟକ୍ତ ଲୋକେ ଅଟଳ ରହିଥିଲେ। ଏହି ଘଟଣା ପରେ ପ୍ରାୟ ଅଧଘଣ୍ଟା ପାଇଁ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। ପୋଲିସ ଦୁର୍ଘଟଣାପଟ ରାସ୍ତାକୁ ବନ୍ଦ କରି ଅନ୍ୟପଟ ରାସ୍ତାରେ ଯାତାୟାତର ସୁବିଧା କରିବାରୁ ସାଧାରଣ ଲୋକ ଯାତାୟାତ କରିପାରିଥିଲେ। ଖବରପାଇ ଏସିପି ଅମିତାଭ ମହାପାତ୍ର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବା ସହ ଆଇନଗତ ଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା କମିଥିଲା।

Share