ନନ୍ଦପୁର,୨୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୁରୁବାର ମଧ୍ୟରାତ୍ରରେ ଓଆର୧୮ ଏ ୬୩୩୬ ନମ୍ବର୍ ବିଶିଷ୍ଟ ଏକ ଅଲ୍ଟୋ କାର ରାସ୍ତା ପାର୍ଶ୍ୱ ଆମ୍ବ ଗଛକୁ ଧକ୍କା ଦେଇ ଓଲଟି ପଡିଥିଲା। ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ, କାରରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣ ଗୋଲୂର ପଞ୍ଚାୟତ ଗୋଲୂର ଗ୍ରାମର ଲବ ଖରା ଓ କୁଡ଼ୁବ ଗ୍ରାମର ଅନନ୍ତ ପାଙ୍ଗି ବୋଲି ସୂଚନା ମିଳିଛି ।
ସୂଚନା ମୁତାବକ, ଗୁରୁବାର ମଧ୍ୟରାତ୍ରିରେ ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଏକ ବଡ ଧରଣର ଶବ୍ଦ ଶୁଣି ଏଏସଓ ହେମନ୍ତ କୁମାର ସାମଲଙ୍କ ନେତେତ୍ୱାଧିନ ଦଳ ରାସ୍ତା କଡ଼ରେ ଏକ ଅଲ୍ଟୋ କାର ଓଲଟି ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ କାର ଭିତରେ ଥିବା ଦୁଇ ଜଣଙ୍କୁ ଉଦ୍ଧାର କରି ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଉପସ୍ଥିତ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ ।
ନନ୍ଦପୁର ପୋଲିସ ଥାନାଧିକାରୀ ତ୍ରିନାଥ ତୋଟାପାଡ଼ିଆ ଓ ଟିମ୍ ଘଟଣାର ତଦନ୍ତ କରୁଛନ୍ତି । ପ୍ରାଥମିକ ତଦନ୍ତରୁ ମୃତକ ଦୁଇ ଜଣ ଟ୍ରେନରେ ଜଗଦଲପୁର ଯାଇ ସେଠାରୁ ଓଡ଼ିଶା ନମ୍ବର୍ ବିଶିଷ୍ଟ ଏହି ସେକେଣ୍ଡ ହ୍ୟାଣ୍ଡ ଅଲ୍ଟୋ କାରଟିକୁ କିଣି ଫେରୁଥିଲେ। କିନ୍ତୁ ନିଜ ଘରକୁ ପହଞ୍ଚିବା ପୂର୍ବରୁ ଏଭଳି ଅଘଟଣର ଶିକାର ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ମୃତଦେହ ଆଜି ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।