ହାଟଡିହୀ,୨୦ା୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ଭାଜପା ନେତା ଆଲୋକ ସେଠୀଙ୍କୁ ଦଳ ତରଫରୁ ବଡ଼ ଦାୟିତ୍ୱ ମିଳିଛି।ରାଜନୀତି ମଇଦାନରେ ଦଳର ଜଣେ ଦକ୍ଷ ନେତା ଭାବେ ପ୍ରତିପାଦିତ ହୋଇଥିବା ଆଲୋକଙ୍କୁ ଦଳ ତରଫରୁ ପୂର୍ବରୁ ଦିଆଯାଇଥିବା ବହୁ ଗୁରୁଦାୟିତ୍ୱ ତୁଲାଇଥିବା ବେଳେ ପୁଣି ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ଆଲୋକଙ୍କୁ ରାଜ୍ୟ ଏସ୍ସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଗତ ୧୯୯୪ ରୁ ଆରଏସ୍ଏସ୍ରେ ସଦସ୍ୟତା ଗ୍ରହଣ କରିଥିବା ଆଲୋକ ଗତ ୨୦୧୨ ରୁ ୨୦୧୬ ପର୍ଯ୍ୟନ୍ତ ଜିଲା ଭାଜପା ସମ୍ପାଦକ,ଗତ ୨୦୧୬ ରୁ ୨୦୧୮ ପର୍ଯ୍ୟନ୍ତ ଜିଲା ଏସସି ମୋର୍ଚ୍ଚା ସଭାପତି ଦାୟିତ୍ୱ ତୁଲାଇ ଥିଲେ। ଗତ ୨୦୨୦ରୁ ଅଦ୍ୟାବଧି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଏଥିସହ ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ଭାଜପା ବିଧାୟକ ପ୍ରାର୍ଥୀ ଭାବେ ବିରୋଧୀ ବିଜେଡି ଏବଂ କଂଗ୍ରେସ ସହ ପ୍ରତିଦ୍ୱନ୍ଦ୍ୱିତା କରି ଭୋଟ୍ ହାର ବଢ଼ାଇବାରେ ସକ୍ଷମ ମଧ୍ୟ ହୋଇଥିଲେ।
ରାଜ୍ୟ ଏସ୍ସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଦାୟିତ୍ୱ ମିଳିବା ପରେ ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ଏସ୍ସି ମୋର୍ଚ୍ଚା ସଭାପତି ବାଇଧର ମଲ୍ଲିକ, ଏମ୍ପି ଅନନ୍ତ ନାୟକ ପ୍ରମୁଖଙ୍କୁ ଆଲୋକ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଅପରପକ୍ଷେ ଏମ୍ପି ପ୍ରତିନିଧି ହରମୋହନ ଶାସିନୀ, ଜ୍ଞାନ ରଞ୍ଜନ ସାମନ୍ତସିଂହାର, ସୁନୀଲ ନାୟକ, ବରିଷ୍ଠ କର୍ମୀ ଯୁଧିଷ୍ଠିର ମଲିକଙ୍କ ସମେତ ଅନେକ ଭାଜପା କର୍ମୀ ଆଲୋକଙ୍କୁ ସ୍ବାଗତ ଏବଂ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଦିନରେ ନିଜର ଦାୟିତ୍ୱ ସଠିକ୍ ଏବଂ ସୂଚାରୁ ରୂପେ ତୁଲାଇବେ ବୋଲି ଆଲୋକ କହିଛନ୍ତି।