ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ ପରିବାର ସର୍ବସ୍ୱ ହରେଇବା ଅଭିଯୋଗ ହେଉଛି । ଉକ୍ତ ଅଞ୍ଚଳରେ ଜଣେ ବ୍ୟବସାୟୀ ଦୀର୍ଘ ଦିନ ହେଲା ଦେଶୀ ମଦ ନାମରେ ବିଷ ବିକ୍ରୀ କରୁଥିବା ଓ ଉକ୍ତ ମଦ ପିଇବା ପରେ ବିଭିନ୍ନ ରୋଗରେ ପୀଡିତ ହୋଇ ମେଡିକାଲ ଖର୍ଚ୍ଚରେ ଲୋକଙ୍କ ଧନହାନି ହେଉଥିବା ଅଭିଯୋଗ ହେଉଛି ।
ଦେଶୀ ମଦ ପାଇଁ ବ୍ୟବହୃତ ମହୁଲ ପୋଚକୁ ଅଧିକା ନିଶା ଧରିବା ପାଇଁ ବିଭିନ୍ନ ଚେର ମୂଳି ଓ ଗୁଟକା ଭଳି ବିଷାକ୍ତ ସାମଗ୍ରୀ ବ୍ୟବହାର କରାଯାଉଛି । ସେହି ବ୍ୟକ୍ତିଙ୍କ ଦେଶୀ ମଦ ଅଧିକା ନିଶା ହେଉଥିବାରୁ ଅଧିକା ଗ୍ରାହକ ସେଠାକୁ ଯାଉଛନ୍ତି । ଯେଉଁଠି ଏହି ବ୍ୟବସାୟ ହେଉଛି ସେଠାରୁ ମାତ୍ର ୨ ଶହ ମିଟର ଦୂରତାରେ ଅବକାରୀ ବିଭାଗର ଅସ୍ଥାୟୀ କାର୍ଯ୍ୟାଳୟ ରହିଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି ।
ଉକ୍ତ ମନ୍ଦିର ନିକଟରେ ଚୋରାମଦ କାରବାର ସମ୍ପର୍କରେ ପୋଲିସ ଓ ଅବକାରୀ ନିକଟରେ ସମ୍ପୂର୍ଣ୍ଣ ତଥ୍ୟ ରହିଛି କିନ୍ତୁ ମଦ ବ୍ୟବସାୟୀ ଜଣଙ୍କ ଚଞ୍ଚକତା କରି ଅବକାରୀ ଓ ପୋଲିସକୁ ହାତରେ ରଖିଥିବା କହିଛନ୍ତି । ତେବେ ପୋଲିସ ଓ ଅବକାରୀ ବିଭାଗ ଏଥି ପ୍ରତି ପଦକ୍ଷେପ ନେଇ ଏହି ବ୍ୟବସାୟକୁ ଶୀଘ୍ର ବନ୍ଦ କରିବାକୁ ସାଧାରଣରେ ଦାବି ହୋଇଛି ।

