ଶୀତ ମହୋତ୍ସବ, ସନ୍ଧ୍ୟାରେ ଦୁଲୁକିବ ମଞ୍ଚ: ଆଜି ଆସିବେ ଏହି ସବୁ କଳାକାର…

ଦାରିଙ୍ଗବାଡି, ୮ /୧ (ଅରୁଣ ସାହୁ): ଦାରିଙ୍ଗବାଡି ଶୀତ ମହୋତ୍ସବକୁ ନେଇ ଅପେକ୍ଷା ଶେଷ ହୋଇଛି। ଆଜି ଶୀତ ମହୋତ୍ସବର ଶୁଭାରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିସାରିଛି। ଶୀତ ମହୋତ୍ସବକୁ ସଫଳ କରିବା ପାଇଁ ସ୍ଥାନୀୟ ପ୍ରଶାସନ ସମେତ ଜିଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କିଭଳି ଦର୍ଶକ ଓ ପର୍ଯ୍ୟଟକମାନେ ଶାନ୍ତି ଶୃଙ୍ଖଳାରେ ମହୋତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇପାରିବେ ଏବଂ ସାମାଜିକ ସୁରକ୍ଷା ସହ ଟ୍ରାଫିକ ନିୟନ୍ତ୍ରଣ, ଗାଡି ପାର୍କିଂକୁ ନେଇ ବ୍ୟବସ୍ଥା କରାଯାଇଛି। ତେବେ ଶୀତ ମହୋତ୍ସବର ପ୍ରଥମ ଦିନରେ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ଖୋର୍ଦ୍ଧାର ପାଇକ ଆଖଡ଼ା ,
କଳାହାଣ୍ଡି କଟପ୍ପା, କମେଡି ପ୍ରଜ୍ଞା ଓ ଶଙ୍କର ଯୋଡିକୁ ଆଜି ଦର୍ଶକ ଦେଖିବାକୁ ପାଇବେ। ଏହି ମହୋତ୍ସବ ୮ରୁ ୧୧ ପର୍ଯ୍ୟନ୍ତ ୪ ଦିନ ଧରି ଚାଲିବ। ଏହି ସମୟରେ ପ୍ରବଳ ଜନସାମାବେଶ ହେବ। ଭିଡ଼ର ସ୍ଥିତିକୁ ନିୟନ୍ତ୍ରଣ ରଖିବା ପାଇଁ ବ୍ୟାପକ ପୋଲିସ ମୁତୟନକୁ ଗୁରୁତ୍ୱ ଦିଆଯାଇଛି ।

ସେପଟେ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପୁଣି ଶୀତ ଲେଉଟିଛି । ଗତ ୨ ଦିନ ହେଲା ଦାରିଙ୍ଗବାଡି ସମେତ ସିମନବାଡି, ଶ୍ରାନିକେତା, ସିଆଙ୍ଗବାଲି, ଦାସିଙ୍ଗବାଡି, ସୋନପୁର, ସିର୍କାବର୍ଗ, ଦନେକବାଡି, କିରିକୁଟି, ବାଡାବାଙ୍ଗା ଆଦି ଅଞ୍ଚକରେ ଅସହ୍ୟ ଜାଡ଼ ଅନୁଭୂତ ହୋଇଛି। ଏପରିକି ସିମନବାଡି, ଦାରିଙ୍ଗବାଡିରେ ରହିଥିବା ଚାଷ ଜମି ପାଳ ଗଦା ଉପରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳୁଛି । ଅସହ୍ୟ ଜାଡ଼ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ତାପମାତ୍ରା ୭ ଡିଗ୍ରୀ ତଳେ ରହିଥିବା କୁହାଯାଇଛି ।

Dharitri – The Largest & Most Trusted Odia Daily