ବଲାଙ୍ଗୀର,୨୫ା୧୨(ସୁନିଲ କୁମାର ମହାନ୍ତି): ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବ ଗୁରୁବାର ଉଦ୍ଘାଟିତ ହୋଇଛି। ସକାଳେ ବଲାଙ୍ଗୀର ସହର ଉପକଣ୍ଠ ମଠଖାଇ ମନ୍ଦିରରୁ ନାଟ୍ୟ ଜ୍ୟୋତି କୋଶଳ କଳା ମଣ୍ଡଳକୁ ଅଣାଯିବା ପରେ ମଠଖାଇ ମହୋତ୍ସବର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ଏହାକୁ ଗ୍ରହଣ କରି ମଞ୍ଚ ସମ୍ମୁଖରେ ସ୍ଥାପନ କରି ମଠଖାଇ ମହୋତ୍ସବ ଉଦ୍ଘାଟନ ଘୋଷଣା କରିଥିଲେ।
ଏହାପରେ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। କୋଶଳ କଳା ମଣ୍ଡଳ ପଡ଼ିଆରୁ ସାଂସ୍କୃତିକ ଶୋଭାଯାତ୍ରା କଚେରି ଛକ, ପାଟଣା ଛକ, ପାଟଣେଶ୍ୱରୀ ମନ୍ଦିର ଓ ସମଲେଶ୍ୱରୀ ମନ୍ଦିର ପୁଣି କୋଶଳ କଳା ମଣ୍ଡଳରେ ପହଞ୍ଚିଥିଲା। ଦେବୀ ପାଟଣେଶ୍ୱରୀ ଓ ଦେବୀ ସମଲେଶ୍ୱରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ଏଥିରେ ସୁଡ଼ପଡ଼ା ଘଣ୍ଟ ବାଦ୍ୟ, ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ସାମିଲଥିଲେ। ଏହି ଶୋଭାଯାତ୍ରାରେ ବହୁ ନାଟ୍ୟକାର ଓ ନାଟ୍ୟପ୍ରେମୀ ସାମିଲ ହୋଇଥିଲେ। ସନ୍ଧ୍ୟାରେ ନାଟକ ସମାରୋହ ଆରମ୍ଭ ହେବ। ପ୍ରଥମ ସନ୍ଧ୍ୟାରେ ଓଡ଼ିଆ ନାଟକ ମାଗୁଣିର ଶଗଡ଼ ମଞ୍ଚସ୍ଥ ହେବ।