ତେହରାନ୍,୧।୩: ଇରାନର ସର୍ୱୋଚ୍ଚ ନେତା ଅଲି ଖାମନେଇ ଇସ୍ରାଏଲୀ ଏବଂ ଆମେରିକୀୟ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଏହି ଘଟଣା ନିଶ୍ଚିତ ହୋଇଛି ଏବଂ ଇରାନରେ ଏକ ଜାତୀୟ ଶୋକ ପାଳନ ଘୋଷଣା କରାଯାଇଛି। ଏହି ସମୟରେ, ଇରାନର ନୂତନ ସର୍ୱୋଚ୍ଚ ନେତା ଭାବରେ ଅଲି ଖାମେନେଇଙ୍କ ପରେ କିଏ ପଦ ଗ୍ରହଣ କରିବେ ସେ ବିଷୟରେ ଆଲୋଚନା ଆରମ୍ଭ ହୋଇଛି। ଇରାନର ରାଜନୈତିକ ମହଲରେ ତିନୋଟି ନାମ ଆଲୋଚନା ହେଉଛି, ଯେଉଁଥିରେ ଖାମେନେଇଙ୍କ ପୁଅ ମଧ୍ୟ ସାମିଲ, ଯିଏ ଜଣେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ।
ଇରାନ ସମ୍ୱିଧାନ ଅନୁଯାୟୀ, ପରବର୍ତ୍ତୀ ସର୍ୱୋଚ୍ଚ ନେତାଙ୍କୁ ଏକ ସ୍ୱତନ୍ତ୍ର ପ୍ରକ୍ରିୟା ମାଧ୍ୟମରେ ଚୟନ କରାଯିବ। ଏହି ଚୟନ ଇରାନର ଏକ ଧର୍ମଗୁରୁ ସଂସ୍ଥା ବିଶେଷଜ୍ଞ ପରିଷଦ ଦ୍ୱାରା କରାଯିବ, ଯେଉଁଥିରେ କୌଣସି ର୍ନିଦ୍ଦିଷ୍ଟ ରାଜନେତା କିମ୍ୱା କମାଣ୍ଡରଙ୍କର କୌଣସି ଭୂମିକା ରହିବ ନାହିଁ। ବର୍ତ୍ତମାନ, ନୂତନ ସର୍ୱୋଚ୍ଚ ନେତା ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ମଧ୍ୟରେ କୋମର ଶୁକ୍ରବାର ପ୍ରାର୍ଥନା ଇମାମ ଅଲିରେଜା ଆରାଫି, ଖାମେନେଇଙ୍କ ଦ୍ୱିତୀୟ ପୁଅ ମୋଜତାବା ଖାମେନେଇ ଏବଂ ବିଶେଷଜ୍ଞ ପରିଷଦର ପ୍ରଥମ ଉପ-ସଭାପତି ହାସେମ ହୋସେନି ବୁଶେହରି ଅନ୍ତର୍ଭୁକ୍ତ।
ସର୍ୱୋଚ୍ଚ ନେତାଙ୍କୁ ଚୟନ କରିବା ପାଇଁ ପ୍ରକ୍ରିୟା କ’ଣ?
ଇରାନ ସମ୍ୱିଧାନ ଅନୁଯାୟୀ, ବିଶେଷଜ୍ଞ ସଭା ହେଉଛି 88 ଜଣ ବରିଷ୍ଠ ଧାର୍ମିକ ବିଦ୍ୱାନଙ୍କ ଏକ ପରିଷଦ, ଯାହାକୁ ମଜଲିସ-ଏ-ଖବରଗାନ-ଏ-ରାହବାରି କୁହାଯାଏ। ଏହି ପରିଷଦ ୱିଲାୟତ-ଏ-ଫକିହ ନୀତି ଉପରେ ଆଧାରିତ ସର୍ୱୋଚ୍ଚ ନେତାଙ୍କୁ ଚୟନ କରିବ। ଏହି ନୀତି ଅନୁଯାୟୀ, କେବଳ ଜଣେ ପ୍ରମୁଖ ବିଦ୍ୱାନ ଅର୍ଥାତ ଜଣେ ଧର୍ମଗୁରୁଙ୍କୁ ସର୍ୱୋଚ୍ଚ ନେତା ନିଯୁକ୍ତ କରାଯାଇପାରିବ। ତଥାପି, ଇରାନର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଆକ୍ରମଣର ଆଶଙ୍କା ଯୋଗୁଁ ଏହି ପରିଷଦର ବୈଠକ ଡାକିବା ଅସମ୍ଭବ ହେବ।
ପରିଷଦର ସଦସ୍ୟମାନଙ୍କୁ କିପରି ନିର୍ୱାଚିତ କରାଯାଏ?
ସମ୍ୱିଧାନ ଅନୁଯାୟୀ, ପରିଷଦର 88 ଜଣ ସଦସ୍ୟ ପ୍ରତି ଆଠ ବର୍ଷରେ ପ୍ରତ୍ୟକ୍ଷ ସାର୍ୱଜନୀନ ନିର୍ୱାଚନ ଦ୍ୱାରା ନିର୍ୱାଚିତ ହୁଅନ୍ତି। ମନୋନିତ ବ୍ୟକ୍ତିମାନଙ୍କୁ ଅଭିଭାବକ ପରିଷଦ ଦ୍ୱାରା ଅନୁମୋଦନ କରାଯିବା ଆବଶ୍ୟକ। ଏହି ପରିଷଦର ସଦସ୍ୟମାନଙ୍କୁ ସର୍ୱୋଚ୍ଚ ନେତାଙ୍କ ଦ୍ୱାରା ନିଯୁକ୍ତ କରାଯାଏ କିମ୍ୱା ସର୍ୱୋଚ୍ଚ ନେତାଙ୍କ ସୁପାରିଶରେ କିମ୍ୱା ତାଙ୍କ ସମର୍ଥନରେ ର୍ନିବାଚିତ କରାଯାଏ। ସର୍ୱୋଚ୍ଚ ନେତାଙ୍କୁ ଗୁପ୍ତ ଭୋଟ ଦ୍ୱାରା ମନୋନୀତ କରାଯିବ, ଏବଂ 88 ସଦସ୍ୟଙ୍କ ମଧ୍ୟରୁ ଅତି କମରେ 59 ଜଣଙ୍କୁ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ପଡିବ।
ଯଦି କୌଣସି ପ୍ରାର୍ଥୀ 59 ଭୋଟର ସଂଖ୍ୟାଗରିଷ୍ଠତା ପାଆନ୍ତି ନାହିଁ, ତେବେ 88 ସଦସ୍ୟଙ୍କ ଅନୁମୋଦନ ମଧ୍ୟରୁ ସଂଖ୍ୟାଗରିଷ୍ଠତା ପାଇଥିବା ପ୍ରାର୍ଥୀଙ୍କୁ ନୂତନ ସର୍ୱୋଚ୍ଚ ନେତା ନିଯୁକ୍ତ କରାଯିବ। ଯଦି, କୌଣସି କାରଣରୁ, ତୁରନ୍ତ ପରିଷଦ ବୈଠକ ଡାକିବା ଅସମ୍ଭବ ହୁଏ, ତେବେ ରାଷ୍ଟ୍ରପତି, ନ୍ୟାୟପାଳିକାର ମୁଖ୍ୟ ଏବଂ ଅନ୍ୟ ଜଣେ ସଦସ୍ୟଙ୍କୁ ନେଇ ଗଠିତ ଏକ ଅସ୍ଥାୟୀ ତିନି ସଦସ୍ୟ ବିଶିଷ୍ଟ ପରିଷଦ, ଇରାନ ସମ୍ୱିଧାନର ଧାରା 111 ଅନୁଯାୟୀ ଅନ୍ତରୀଣ ସର୍ୱୋଚ୍ଚ ନେତା ଭାବରେ କାର୍ଯ୍ୟ କରେ।

