ପୁରୁଷୋତ୍ତମପୁର,୩୦ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସ୍ବପ୍ନେଶ୍ବର କୃଷକ ସଂଘ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଥିବା ବେଳେ ଚଷା ପୁଅର ହଳିଆଗିତ ସାଙ୍ଗକୁ ଚଷା ବୋହୂର ହୁଳହୁଳି ଶବ୍ଦରେ କ୍ଷେତ ପ୍ରକମ୍ପିତ ହୋଇପଡ଼ିଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା ଓ ସମ୍ମାନିତ ଅତିଥିଭାବେ ଭାଜପାର ଆସିକା ସାଂଗଠନିକ ସଭାପତି ବିଜୟ କୁମାର ସ୍ବାଇଁ, ଘୁମୁସର ଜିଲା ସମ୍ପାଦକ ଅନିଲ କୁମାର ପଣ୍ଡା, ସୀତାରାମ ପାଣିଗ୍ରାହୀ, କାଉନସିଲର ଭାସ୍କର ବେହେରା, ରୁଷିକୂଲ୍ୟା ରୟତ ମହାସଂଘ ସଂପାଦକ ସୀମାଞ୍ଚଳ ନାୟକ ଯୋଗଦେଇ ପାରମ୍ପରିକ ପ୍ରକାରେ ନୀତିକାନ୍ତିରେ ପୂଜାର୍ଚ୍ଚନା କରିବା ପରେ ଅଖିମୁଠି ଅନୁକୂଳ କରି ଚାଷ କାର୍ଯ୍ୟ କରିଥିଲେ।
ଏହି ସମୟରେ ଚଷା ପୁଅର ହଳିଆ ଗୀତର ତାଳେ ତାଳେ ଚଷା ବୋହୂର ହୁଳହୁଳି ଶବ୍ଦରେ କ୍ଷେତକୁ ପ୍ରକମ୍ପିତ କରି ଚାଷ କାର୍ଯ୍ୟକୁ ଉସବ ମୁଖର କରିଦେଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ବପ୍ନେଶ୍ବର କୃଷକ ସଂଘର ସଭାପତି ଆଇ.ମୁକୁନ୍ଦ, ସମ୍ପାଦକ କିଶୋର କୁମାର ସାସ୍ମଲ, ରମେଶଚନ୍ଦ୍ର ଗୌଡ଼ ପ୍ରମୁଖଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।