ସୁରଟ,୯ା୧୧: ମେଘାଳୟର ଆକାଶ କୁମାର ଚୌଧାରୀ କ୍ରମାଗତ ୮ ଛକା ମାରି ପ୍ରଥମ ଶ୍ରେଣୀ କ୍ରିକେଟରେ ଏକ ନୂଆ ରେକର୍ଡ କରିଥିବା ବେଳେ ମାତ୍ର ୧୧ ବଲ୍ରେ ଦ୍ରୁତ ଅର୍ଦ୍ଧଶତକ ହାସଲ କରି ଏହି ଫର୍ମାଟରେ ଅନ୍ୟ ଏକ ନୂଆ ରେକର୍ଡର ଅଧିକାରୀ ହୋଇପାରିଛନ୍ତି।
ଏଠାରେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ଏକ ରଣଜୀ ଟ୍ରଫି ପ୍ଲେଟ୍ ଗ୍ରୁପ୍ ମ୍ୟାଚରେ ସେ ଏହି କୀର୍ତ୍ତିମାନ ଅର୍ଜନ କରିଛନ୍ତି। ସ୍ଥାନୀୟ ସି.କେ. ପିଠାଓ୍ବାଲା ଗ୍ରାଉଣ୍ଡଠାରେ ମ୍ୟାଚର ଦ୍ୱିତୀୟ ଦିବସରେ ୮ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ୨୫ବର୍ଷୀୟ ଚୌଧାରୀ ଏହି ଚମକପ୍ରଦ ସଫଳତା ହାସଲ କରିଛନ୍ତି।
ସେ ୧୪ବଲ୍ରେ ୫୦ ରନ କରି ଅପରାଜିତ ରହିଥିଲେ। ତାଙ୍କର ଏହି ଅର୍ଦ୍ଧଶତକ ସହାୟତାରେ ମେଘାଳୟ ଏହାର ପ୍ରଥମ ଇନିଂସ ୬୨୮/୬ରେ ଘୋଷଣା କରିଥିଲା। ଚୌଧାରୀ ପ୍ରଥମ ଶ୍ରେଣୀରେ ଦ୍ରୁତତମ ଅର୍ଦ୍ଧଶତକ ହାସଲରେ ରହିଥିବା ପୁରୁଣା ରେକର୍ଡକୁ ଭଙ୍ଗ କରିଦେଇଛନ୍ତି।
ପୂର୍ବରୁ ଏହି ରେକର୍ଡ ଲିସେଷ୍ଟରଶାୟାର ଓ୍ବେନ୍ ହ୍ବାଇଟ୍ଙ୍କ ନାମରେ ରହିଥିଲା। ସେ ୨୦୧୨ରେ ଏସେକ୍ସ ବିପକ୍ଷ ମ୍ୟାଚରେ ମାତ୍ର ୧୨ଟି ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଆହୁରି ମଧ୍ୟ ପ୍ରଥମ ଶ୍ରେଣୀ କ୍ରିକେଟର କ୍ରମାଗତ ୬ ଛକା ଲଗାଇବାରେ ତୃତୀୟ ଖେଳାଳି। ଅନ୍ୟ ଦୁଇ ଜଣ ହେଲେ କିମ୍ବଦନ୍ତୀ ସାର୍ ଗାର୍ଫିଲ୍ଡ ସୋବର୍ସ ଏବଂ ଭାରତର ରବି ଶାସ୍ତ୍ରୀ।

