ଭୁବନେଶ୍ୱର,୨୬।୧୨: ଆସନ୍ତା ଡିସେମ୍ବର ୩୧ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହା ପରବର୍ତ୍ତୀ ସମୟରେ ଲଘୁଚାପରେ ପରିଣତ ହୋଇପାରେ।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ସୂଚନା ଅନୁଯାୟୀ, ଜାନୁଆରି ୩ ତାରିଖ ବେଳକୁ ଏହାର ଦକ୍ଷିଣରେ (ବିଷୁବରେଖା ନିକଟରେ) ଅନ୍ୟ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ବଙ୍ଗୋପସାଗରର ଏହି ସମ୍ଭାବ୍ୟ ଲଘୁଚାପ ବିଶେଷ ଘନୀଭୂତ ହୋଇ ନପାରେ।
ଏହି ସିଷ୍ଟମ ସପ୍ତାହେ ପର୍ଯ୍ୟନ୍ତ ଦକ୍ଷିଣ ବଙ୍ଗୋପସାଗରରେ ସ୍ଥିର ରହିବାର ସମ୍ଭାବନା ଅଛି। ଏହାର ଘନୀଭୂତ ହେବାର ତୀବ୍ରତା ବା ଗତିପଥ ବିଷୟରେ ବର୍ତ୍ତମାନଠାରୁ ଆକଳନ କରିବା ସମ୍ଭବ ନୁହେଁ। ଏହା ପୂର୍ବରେ ଇଣ୍ଡୋନେସିଆ କିମ୍ବା ପଶ୍ଚିମରେ ଶ୍ରୀଲଙ୍କା ଆଡ଼କୁ ଯାଇପାରେ।
ତେବେ ଏବେଠାରୁ ଏହି ଲଘୁଚାପକୁ ନେଇ ବିଚଳିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି।