ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ ଚାଳିତ ଚାଟବଟ୍ “ଆମର ସହାୟକ” ର ଆନୁଷ୍ଠାନିକ ଭାବେ ଲୋକାର୍ପିତ ହୋଇଯାଇଛି । ଭବାନୀପାଟଣା ସ୍ଥିତ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ ଯୋଗ ଦେଇ ଏହାର ଶୁଭାରମ୍ଭ କରିଛନ୍ତି। ସମ୍ମାନିତ ଅତିଥି ଭାବେ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢୀ, ଭାରତୀୟ ପ୍ରଶାସନିକ ସେବା ପ୍ରଶିକ୍ଷଣାର୍ଥୀ ଅନିମେଷ ପ୍ରଧାନ, ଭବାନୀପାଟଣା ଉପଜିଲାପାଳ ପ୍ରଭାତ କୁମାର ପରିଡାଙ୍କ ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ କଳାହାଣ୍ଡି ଡିଏମ୍ଏଫ୍ ଟିମ୍ ଲିଡ୍ ପ୍ରଶାନ୍ତ ମିଶ୍ର ପରିଚାଳନା କରିଥିଲେ ।
ଏହି ଅବସରରେ ଜିଲାପାଳ ନିଜ ଅଭିଭାଷଣରେ କହିଥିଲେ ଯେ, “ଆମର ସହାୟକ” ପ୍ରଶାସନ ଏବଂ ଜନସାଧାରଣଙ୍କ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଜନସାଧାରଣଙ୍କୁ ଅଧିକ ଦକ୍ଷତାର ସହ ସାହାଯ୍ୟ କରିବା ପାଇଁ ସମସ୍ତ ବିଭାଗୀୟ ସେବାକୁ ଏହି ପ୍ଲାଟଫର୍ମ ସହ ଯୋଡ଼ିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟପକ୍ଷରେ,”ଆମର ସହାୟକ” ହେଉଛି ଏକ ଅତ୍ୟାଧୁନିକ ଜେନେରେଟିଭ୍ ଏଆଇ ଏବଂ ରିଟ୍ରିଭାଲ୍-ଅଗମେଣ୍ଟେଡ୍ ଜେନେରେସନ୍ (ଆର ଏ ଜି) ଭିତ୍ତିକ ସହାୟକ। ହ୍ୱାଟସ୍ଆପ୍ ମାଧ୍ୟମରେ ଉପଲବ୍ଧ ଏହି ଚାଟବଟ୍ ନାଗରିକମାନଙ୍କୁ ଓଡ଼ିଆ ଏବଂ ଇଂରାଜୀ ଉଭୟ ଭାଷାରେ ସହଜ ସେବା ପ୍ରଦାନ କରିବାକୁ ଡିଜାଇନ୍ କରାଯାଇଛି ।
ସେହିପରି ନାଗରିକମାନେ ବର୍ତ୍ତମାନ ସେମାନଙ୍କ ମୋବାଇଲ୍ ଫୋନ୍ ମାଧ୍ୟମରେ ସିଧାସଳଖ ଅଭିଯୋଗ ପଞ୍ଜିକୃତ କରିପାରିବେ ଏବଂ ଏହାର ସ୍ଥିତି ମଧ୍ୟ ଯାଞ୍ଚ କରିପାରିବ। “ଆମର ସହାୟକ” ପ୍ଲାଟଫର୍ମ ମାଧ୍ୟମରେ ସରକାରୀ ସେବାକୁ ଅଧିକ ସ୍ୱଚ୍ଛ, ସହଜ ଏବଂ ଉତ୍ତରଦାୟୀ କରିବା ଜିଲା ପ୍ରଶାସନର ମୁଖ୍ୟ ଲକ୍ଷ୍ୟ ରହିଛି । ଏହି ଚାଟବଟ୍ ତିଆରି କରିବାରେ ସ୍ଥାନୀୟ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟର କିଛି ଛାତ୍ରୀଛାତ୍ର ସହଯୋଗ କରିଥିବାରୁ ସେମାନଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ଦିଆଯାଇ ସମ୍ମାନିତ କରାଯାଇଥିଲା।