ମୋହନା,୨୯ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ମଳାସ ପଦର ଗାଁ କୁସୁମା ସାହିରେ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ସୂଚନା ପ୍ରକାରେ ମଙ୍ଗଳବାର ମଳାସ ପଦର ଗାଁ କୁସୁମା ସାହିର ଭାଗ୍ୟ ବିଶୋୟୀ (୨୦ )ଙ୍କୁ ପ୍ରସବ ଯନ୍ତ୍ରଣା ଆସିଥିଲା ଏବଂ ଗୋଟିଏ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ବୁଧବାର ଖବର ପାଇ ସିଡିପିଓ ସବିତା ପଟ୍ଟନାୟକ ଏବଂ ବିପିଏମ ବିଭୁ ପ୍ରସାଦ କର ଭାଗ୍ୟଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାଶୁଝା କରି ବୁଧବାର ପୂର୍ବାହ୍ନରେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। କୁସୁମା ସାହିର ରାସ୍ତା ଅତି ଖରାପ ଯୋଗୁ ଆମ୍ବୁଲାନ୍ସ ପହଞ୍ଚି ନ ପାରି ଅଟକି ଯାଇଥିଲା ଗାଁର ଏକ କିଲୋମିଟର ପୂର୍ବରୁ । ଫାର୍ମାସିଷ୍ଟ ବିଦ୍ୟାଧର ଓ ସହଯୋଗୀ ରାସ୍ତାଠାରୁ ଏକ କିଲୋମିଟର ଜଙ୍ଗଲ ମଧ୍ୟରେ ଚାଲିଚାଲି ଯାଇ ଘରକୁ ପହଞ୍ଚିଥିଲେ। ଗାଁ ଲୋକଙ୍କ ସହଯୋଗରେ କନ୍ୟାରତ୍ନ ଜନ୍ମ ଦେଇଥିବା ମହିଳାଙ୍କୁ ବିଦ୍ୟାଧର ଏକ କିଲୋମିଟର ବୋହି ଆଣି ଆମ୍ବୁଲାନ୍ସ ଦ୍ୱାରା ମୋହନା ମେଡିକାଲରେ ଭର୍ତ୍ତି କରିଛନ୍ତି। ଭାଗ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ ଥିବାର ଡାକ୍ତର ଜିତେନ୍ଦ୍ର ପ୍ରସାଦ ଦାଶ କହିଛନ୍ତି। ଅପରପକ୍ଷେ ବିଦ୍ୟାଧରଙ୍କ ଏହି ମହାନତା କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।