ପୁରୁଷୋତ୍ତମପୁର,୧୨ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ମୃତଦେହ ଦାହ କରିବା ଓ କ୍ରିୟାକର୍ମ କରିବା ସହ ମୃତବ୍ୟକ୍ତିଙ୍କ ଅସ୍ଥି ରଖିବା ଲୋକଙ୍କ ଲାଗି ସମସ୍ୟା ପାଲଟିଥିବାବେଳେ ଏ ସମ୍ପର୍କରେ ବାରମ୍ବାର ଜଣାଇଥିଲେ ମଧ୍ୟ ଏଥିପ୍ରତି ଏନ୍ଏସି ପ୍ରଶାସନ, ଅଧ୍ୟକ୍ଷ, ଏମ୍ପି, ବିଧାୟକ କିମ୍ବା ଜନପ୍ରତିନିଧି କେହି ହେଲେ ଗୁରୁତ୍ୱ ଦେଉ ନ ଥିବାରୁ ସହର ମଧ୍ୟ ଭାଗରେ ରହିଥିବା ଓ୍ବାର୍ଡ ନଂ ୭,୮,୯,୧୦,୧୧ର ବାସିନ୍ଦାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ମୃତଦେହକୁ କାନ୍ଧେଇ ବହୁଦୂରରେ ଥିବା କନକା ଓ କୁମାରୀ ମୌଜା ଶ୍ମଶାନଘାଟକୁ ନେଇଥାନ୍ତି ଏହାସହ କ୍ରିୟାକର୍ମ କରିବାରେ ଦହଗଞ୍ଜ ହେଉଛନ୍ତି। ଏପରିକି କପିଳେଶ୍ୱର ମନ୍ଦିର ସମ୍ମୁଖ ତୋରାବଣ ଋଷିକୁଲ୍ୟା ନଦୀପଠାରେ ନିର୍ମିତ ଶବଦାହ ଗୃହକୁ କେତେ ଜଣ ବ୍ୟକ୍ତି ଜବରଦଖଲ କରି କବ୍ଜା କରିନେଇ ତା’ ନିକଟରେ ଗୃହ ନିର୍ମାଣ କରିଛନ୍ତି। ଏହିଘଟଣାକୁ ନେଇ ମଙ୍ଗଳବାର ଏକମାତ୍ର ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ପ୍ରସାଶନ ତତ୍ପରତା ହୋଇଉଠିଛି। ଶୁକ୍ରବାର ତହସିଲଦାର ବିନୋଦ କୁମାର ବେହେରା,ଏନଏସି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ, ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, ଜନପ୍ରତିନିଧି ଚିଣ୍ଟୁ ମହାପାତ୍ର ଓ ଯନ୍ତ୍ରୀ ରାମଚନ୍ଦ୍ର ପେଙ୍ଗୁଆ, ଆରଆଇ ଏ.ଶ୍ରୀକାନ୍ତ ଦୋରା ପ୍ରମୁଖ ଘଟଣାସ୍ଥଳକୁ ଯାଇ ଜବରଦଖଲରେ ରହିଥିବା ଶ୍ମଶାନ ଗୃହକୁ ଦେଖିବା ସହ ଖୋଲା ଆକାଶତଳେ ଗଛମୂଳେ ଅପରିତ୍ୟକ୍ତ ବିପଦପୂର୍ଣ୍ଣ ସ୍ଥାନରେ ଲୋକେ କିପରି କ୍ରିୟାକର୍ମର କାର୍ଯ୍ୟମାନ କରୁଛନ୍ତି ତାହାକୁ ଦେଖି ଚିନ୍ତା ପ୍ରକଟ କରି ଘଟଣାକୁ ଅତି ଗୁରୁତର ସହ ନେଇଛନ୍ତି। କିପରି ଏହାର ସମାଧାନ ହୋଇପାରିବ ସେଥିନେଇ ଜନସାଧାରଣ ଓ ସାମାଜିକକର୍ମୀମାନଙ୍କ ସହ ଆଲୋଚନା କରିଥିଲେ। ସମସ୍ତଙ୍କ ମତାମତକୁ ନେଇ କପିଳେଶ୍ବର ମନ୍ଦିର ପାର୍ଶ୍ୱ ନଦୀହିଡ଼ରେ ଏକ ନୂତନ ଶ୍ମଶାନଘାଟ ସହ କ୍ରିୟାଗୃହ ଓ ମୃତବ୍ୟକ୍ତିଙ୍କ ଅସ୍ଥି ରହିବା ସ୍ଥାନକୁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କରିବା ଲାଗି ଜିଲାପାଳଙ୍କୁ ଜଣାଇ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।