
ଲୋଇସିଂହା,୯ା୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ତଲିଉଡ଼ାର ଗ୍ରାମରେ ୪ ମାସ ହେଲା ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡ଼ି ଥିବାବେଳେ ୩ଟି ନଳକୂପ ମଧ୍ୟରୁ ୨ଟି ଅକାମୀ ହୋଇଯାଇଛି। ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ‘ଉପରଉଡ଼ାର ଗାଁରେ ଉତ୍କଟ ଜଳ ସଙ୍କଟ’ ସମ୍ପର୍କରେ ରବିବାର ଧରିତ୍ରୀରେ ଏକ ଶୀର୍ଷକ ଖବର ପ୍ରକାଶ ପାଇଥିଲା । ଏହାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ। ପାନୀୟ ଜଳ ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବା ଜିଲା ପ୍ରଶାସନଙ୍କୁ ନିର୍ଦ୍ଦେଶ କରିଥିଲେ। ଏହାପରେ ଜିଲା ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗାଁରେ ନଳକୂପ ଖନନ ପାଇଁ ପଦକ୍ଷେପ ନିଆଯାଉଛି। ରବିବାର ଅପରାହ୍ନରେ ଗାଁରେ ନଳକୂପ ଖନନ ମେଶିନ ପହଞ୍ଚିବା ପରେ ଲୋଇସିଂହା ବ୍ଲକ ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ପ୍ରାସାଦ ସାମନ୍ତରାୟଙ୍କ ଉପସ୍ଥିତିରେ ଗ୍ରାମର ଜଗନ୍ନାଥ ମନ୍ଦିର ନିକଟରେ ଏକ ନଳକୂପ ଖନନ କରାଯାଉଛି।
ସୋମବାର ଗ୍ରାମର ମାହାରପଡ଼ା ଅଞ୍ଚଳରେ ଆଉ ଗୋଟିଏ ନଳକୂପ ଖନନ କରାଯିବ ବୋଲି ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ। ଗାଁରେ ନଳକୂପ ଖନନ ପରେ ଭାଜପା ଯୁବ ମୋର୍ଚ୍ଚା ଜିଲା ସଭାପତି ଅମରଜିତ୍ ପଟେଲ,ଓ୍ବାର୍ଡ ସଭ୍ୟ ବୀରେନ୍ଦ୍ର ବଗର୍ତ୍ତିଙ୍କ ସମେତ ଗ୍ରାମବାସୀ ଖୁସି ବ୍ୟକ୍ତ କରିବା ସହିତ ଧରିତ୍ରୀ ଖବରକାଗଜକୁ ଖୁବ୍ ପ୍ରଶଂସା କରିଥିଲେ। ଏହାବ୍ୟତୀତ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି।