ଗଞ୍ଜାମ, ୧୭।୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନ ରାମଚନ୍ଦ୍ରପୁର ପଞ୍ଚାୟତ ଅଇଁଠା ବଣ ଗ୍ରାମର ଏସ ସୁରେନ୍ଦ୍ର ଦାସଙ୍କ ଝିଅ ମୋନାଲିସା ଦାସଙ୍କ ଆଧାରକାର୍ଡ ନ ଥିବାରୁ ପାଠ ପଢ଼ାରୁ ବଞ୍ଚିତ ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା । ଖବର ପ୍ରସାରଣ ପରେ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ଜଣାପଡିଛି । ଏନେଇ ବୁଧବାର ବିଇଓ ପ୍ରଶନ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ଗ୍ରାମରେ ପହଞ୍ଚି ସୁରେନ୍ଦ୍ରଙ୍କ ପରିବାରକୁ ଭେଟିବା ସହ ମୋନାଲିସାଙ୍କୁ ସ୍କୁଲରେ ଆଡମିଶନ ପାଇଁ ଡାକିଛନ୍ତି ବୋଲି ବାପା ସୁରେନ୍ଦ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିସହ ବିଡିଓ ଅଚ୍ୟୁତାନନ୍ଦ ଯାନୀ କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇନାଁହାନ୍ତି ତା’ହେଲେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ । ଅନ୍ୟପଟେ ତହସିଲଦାର ସୁକାନ୍ତ ମିଶ୍ର ମଧ୍ୟ ଖବର ପ୍ରସାରଣ ପରେ କ୍ଷୋଭ ପ୍ରକାଶ କରିବା ସହ ଯାହା ଆବଶ୍ୟକ ସେଥିପ୍ରତି ପଦକ୍ଷେପ ନେବେ ବୋଲି କହିଛନ୍ତି। ପ୍ରକାଶ ଯୋଗ୍ୟ, ସୁରେନ୍ଦ୍ର ଅତ୍ୟନ୍ତ ଗରିବ ଶ୍ରେଣୀର। ସେ ଘୁଷୁରୀ ପାଳନ କରି ପରିବାର ଚଳାନ୍ତି । ମୋନାଲିସାଙ୍କୁ ଦେଢ଼ ବର୍ଷ ହୋଇଥିବା ବେଳେ ମା’ ଆରପାରିକୁ ଚାଲିଗଲେ। ସେପଟେ ଦୁଃଖକଷ୍ଟରେ ବାପା ସୁରେନ୍ଦ୍ର ପୁଅ ଝିଅକୁ ପାଠ ପଢ଼ାଇ ମଣିଷ କରିବାକୁ ଜିଦ୍ରେ ଅଟଳ। ପୁଅ ସଞ୍ଜୟ ଦାସ ମାଟ୍ରିକରେ ଭଲ ମାର୍କ ରଖି ପାସ କରିବା ପରେ ବର୍ତ୍ତମାନ ଯୁକ୍ତ ଦୁଇରେ ଅଧ୍ୟୟନ କରୁଛନ୍ତି । ଝିଅ ମୋନାଲିସା ଅଷ୍ଟମ ପାସ କରିବା ପରେ ଆଧାରକାର୍ଡ ନ ଥିବାରୁ ତାଙ୍କୁ ଆଡମିଶନ ପାଇଁ ସ୍କୁଲ କର୍ତ୍ତୃପକ୍ଷ ମନା କରିଦେଇଥିଲେ। ମୋନାଲିସା ଆଧାରକାର୍ଡ ପାଇଁ ଗତ ୧୯/୧୨/ ୨୦୨୧ରେ ଆବେଦନ କରିଥିଲେ । ଚାରିବର୍ଷ ହେବ ବାରମ୍ବାର ବ୍ଲକକୁ ଦୌଡୁଥିଲେ ମଧ୍ୟ ଆଧାରକାର୍ଡ ହେଉନି।