ଜୀବନ ଯିବା ପରେ ଡେଙ୍ଗୁ ଭୟ ବଢ଼ିଲା

ଭୁବନେଶ୍ୱର,୧୯ା୮(ବନ୍ଦନା ସେଠୀ): ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁରେ ଆକ୍ରାନ୍ତ ହୋଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍‌ଙ୍କ ସ୍ତ୍ରୀ ଝିଙ୍ଗିଆ ଓରାମ୍‌ଙ୍କ ମୃତ୍ୟୁ ଘଟଣା ଏବେ ଚିନ୍ତା ବଢ଼ାଇ ଦେଇଛି। ଚଳିତ ବର୍ଷ ଏହା ରାଜ୍ୟର ପ୍ରଥମ ଡେଙ୍ଗୁ ମୃତ୍ୟୁ ବୋଲି କୁହାଯାଉଥିଲେ ମଧ୍ୟ ସରକାରୀ ସ୍ତରରେ ଏନେଇ ସ୍ପଷ୍ଟ କରାଯାଇନାହିଁ। କିନ୍ତୁ ଡେଙ୍ଗୁ ଜୀବନ ନେବା ପରେ ସହରବାସୀଙ୍କ ମନରେ ଭୟ ଓ ଛନକା ଆହୁରି ବଢ଼ିଯାଇଛି। କାରଣ ଚଳିତବର୍ଷ ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ୨ହଜାର ପାର୍‌ କରିଥିବାବେଳେ ଭୁବନେଶ୍ୱର ପାଇଁ ଖୋର୍ଦ୍ଧା ଜିଲା ହଟ୍‌ସ୍ପଟ୍‌ ପାଲଟିଛି। ଜାନୁଆରୀରୁ ଅଗଷ୍ଟ ୧୬ ମଧ୍ୟରେ ଖୋର୍ଦ୍ଧା ଜିଲାରେ ମୋଟ୍‌ ୧୭ହଜାର ୮୫୦ ଟେଷ୍ଟିଂ ହୋଇଛି। ଏଥିରୁ ୮୪୦ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଏଥିରୁ ସର୍ବାଧିକ ୪୦୬ଜଣ ବିଏମ୍‌ସି ଅଞ୍ଚଳରୁ ବାହାରିଛନ୍ତି। ଖୋର୍ଦ୍ଧା ଅଞ୍ଚଳରୁ ୧୫୫ଜଣ, ଅନ୍ୟ ଜିଲାରୁ ଆସି ଏଠାରେ ପରୀକ୍ଷା କରିଥିବା ୪୨ଜଣ ରହିଥିବାବେଳେ ୨୩୭ଜଣ ସଂକ୍ରମିତଙ୍କ ସମ୍ପର୍କରେ କୌଣସି ତଥ୍ୟ ନାହିଁ। ଅପରପକ୍ଷେ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ପଟିଆ ଅଞ୍ଚଳରୁ ସର୍ବାଧିକ ୩୪ଜଣ ଚିହ୍ନଟ ହୋଇଛନ୍ତି। ଏହା ପଛକୁ ରହିଛି ଖଣ୍ଡଗିରି ଅଞ୍ଚଳ। ଏଠାରୁ ୩୨ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବାବେଳେ ଶହୀଦନଗରରୁ ୨୫ଜଣ, ସାଲିଆସାହିରୁ ୨୪ଜଣ ଓ ନୟାପଲ୍ଲୀରୁ ୨୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଜାଗମରା, ସତ୍ୟନଗର, ନୀଳାଦ୍ରିବିହାର ମଧ୍ୟ ଡେଙ୍ଗୁ ହଟ୍‌ସ୍ପଟ୍‌ ପାଲଟିଛି। ତେବେ ଜୁଲାଇ ୨୭ସୁଦ୍ଧା ସହରରୁ ମୋଟ୍‌ ୨୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅଗଷ୍ଟ ୧୬ ଅର୍ଥାତ୍‌ ୨୦ ଦିନରେ ଆଉ ୧୯୫ଜଣ ସଂକ୍ରମିତ ବାହାରିଛନ୍ତି। ତେଣୁ ସହରରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବା ଏଥିରୁ ଜଣାପଡୁଛି।
ମେୟରଙ୍କ ମନ୍ତବ୍ୟକୁ ନେଇ ଅସନ୍ତୋଷ
ଦୋଷ ଦେଲେ ବାବୁ ସିଂ
ଜୀବନ ଯିବା ପରେ ସହରରୁ ଡେଙ୍ଗୁକୁ ପ୍ରତିହତ କରିବା ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ସେତେଟା ତତ୍ପରତା ପ୍ରକାଶ କରୁ ନ ଥିବା ଅଭିଯୋଗ ହେଉଛି। ଏପରି ସ୍ଥିତିରେ ମେୟର ସୁଲୋଚନା ଦାସଙ୍କ ମନ୍ତବ୍ୟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମେୟର କହିଛନ୍ତି, ଗତବର୍ଷ ତୁଳନାରେ ଚଳିତବର୍ଷ ରୋଗୀଙ୍କ ସଂଖ୍ୟା କମ୍‌ ରହିଛି। ତେବେ ବିଏମ୍‌ସି ପକ୍ଷରୁ ଯତ୍ନବାନ ହୋଇ ନିୟମିତ ମଶାତେଲ ସିଞ୍ଚନଠାରୁ ଆରମ୍ଭ କରି ଡ୍ରାଏ ଡେ’ ପାଳନ, ନିୟମିତ ସଫେଇ, ବୁଶ୍‌ କଟିଂ, ଫଗିଂ ଆଦି କରାଯାଉଛି। ଲୋକମାନେ ନିୟମିତ ମଶାରି ଟାଙ୍ଗି ଶୋଇବା ସହ ନିଜ ଆଖପାଖ ଅଞ୍ଚଳରେ ଯେପରି ପାଣି ଜମି ନ ରୁହେ ସେଥିପ୍ରତି ଯତ୍ନବାନ ହେବା ଆବଶ୍ୟକ। ଏଥିସହ ଜ୍ୱର ହେଲେ ତୁରନ୍ତ ରକ୍ତ ପରୀକ୍ଷା କରାଇବା ଉଚିତ୍‌ ବୋଲି ମତ ଦେଇଛନ୍ତି। ହେଲେ ସହରରେ ଡେଙ୍ଗୁ ସଂକ୍ରମଣ ବଢିବାକୁ ନେଇ ବିଏମ୍‌ସିକୁ ଟାର୍ଗେଟ କରିଛନ୍ତି ଏକାମ୍ର ବିଧାୟକ ବାବୁ ସିଂ। ବିଏମ୍‌ସିର ଅପାରଗତା ପାଇଁ ସହରରେ ଡେଙ୍ଗୁ ତା’ର ଭୟାବହତା ଦେଖାଉଥିବା ସେ କହିଛନ୍ତି। ଏଥିସହ ବିଏମ୍‌ସି କର୍ତ୍ତୃପକ୍ଷ ତୁରନ୍ତ ନିଜର ନିଦ୍ରା ଭଙ୍ଗ କରି ଏନେଇ ଉଚିତ୍‌ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି।
ଡେଙ୍ଗୁ ପାଇଁ କ୍ୟାପିଟାଲ
ହସ୍ପିଟାଲରେ ୨ଟି ସ୍ବତନ୍ତ୍ର ଓ୍ବାର୍ଡ
କ୍ୟାପିଟାଲ ହସ୍ପିଟାଲ୍‌ରେ ଡେଙ୍ଗୁ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ହସ୍ପିଟାଲ ଉପଅଧୀକ୍ଷକ ଧନଞ୍ଜୟ ଦାସ ସୂଚନା ଦେଇଛନ୍ତି। ଏବେ ହସ୍ପିଟାଲରେ ୧୫ଜଣ ଡେଙ୍ଗୁରୋଗୀ ଥିବାବେଳେ ସେମାନେ ସୁସ୍ଥ ଥିବା କୁହାଯାଇଛି। ରବିବାର ହସ୍ପିଟାଲରେ ମୋଟ୍‌ ୯୩ଟି ଟେଷ୍ଟ ହୋଇଥିବାବେଳେ ସେଥିରୁ ୧୦ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେବେ ଦୈନିକ ଶହେରୁ ୧୫୦ ଟେଷ୍ଟିଂ କରାଯାଉଥିବା ଓ ୧୦-୧୫ ପଜିଟିଭ୍‌ ବାହାରୁଥିବା ସେ କହିଛନ୍ତି। ହସ୍ପିଟାଲରେ ଡେଙ୍ଗୁ ପାଇଁ ୨ଟି ସ୍ବତନ୍ତ୍ର ଓ୍ବାର୍ଡ କରାଯାଇଛି। ୨୦ଟି ବେଡ୍‌ ରିଜର୍ଭ ରଖାଯାଇଥିବାବେଳେ ୫୦ ରୋଗୀଙ୍କ ପାଇଁ ହସ୍ପିଟାଲ ପ୍ରସ୍ତୁତ ଥିବା ଉପ ଅଧୀକ୍ଷକ ସୂଚନା ଦେଇଛନ୍ତି।

ରାଜଧାନୀରେ ଆକ୍ରାନ୍ତ ଚିତ୍ର ଅସ୍ପଷ୍ଟ

ଭୁବନେଶ୍ବରର ୫ଟି ସ୍ଥାନ ଯଥା ଏମ୍‌ସ, ଆର୍‌ଏମ୍‌ଆର୍‌ସି, କ୍ୟାପିଟାଲ ହସ୍ପିଟାଲ, ପଟିଆ ଏବଂ ଆଇଆର୍‌ସି ଭିଲେଜ୍‌ସ୍ଥିତ ୟୁପିଏଚ୍‌ସିରେ ଡେଙ୍ଗୁ ଟେଷ୍ଟିଂ ହେଉଛି। ତେବେ ୩ଟି ସ୍ବାସ୍ଥ୍ୟକେନ୍ଦ୍ରରୁ ନିୟମିତ ସଂକ୍ରମିତଙ୍କ ରିପୋର୍ଟ ଆସୁଥିବାବେଳେ ଏମ୍‌ସ ଏବଂ ଆର୍‌ଆର୍‌ସି ସଂକ୍ରମିତଙ୍କ ତଥ୍ୟ ଦେଉନାହାନ୍ତି। ଫଳରେ ଏଠାରୁ କେତେ ସଂକ୍ରମିତ ବାହାରୁଛନ୍ତି, କେତେ ଟେଷ୍ଟିଂ କରାଯାଉଛି ତାହାର କୌଣସି ଖବର ବିଏମ୍‌ସି ପାଖରେ ନାହିଁ। ସେହିପରି ଅନେକ ଲୋକ ଘରୋଇ ହସ୍ପିଟାଲରେ ଟେଷ୍ଟ କରୁଥିବାରୁ ତାହାର ରିପୋର୍ଟ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ପାଖରେ ରହୁ ନ ଥିବା ଅତିରିକ୍ତ ଜିଲା ସହରାଞ୍ଚଳ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ନୀଳମଣି ସେନାପତି କହିଛନ୍ତି। ସେହିପରି ଟେଷ୍ଟିଂ ସମୟରେ ଅଧିକାଂଶ ରୋଗୀ ନିଜର ଭୁଲ୍‌ ଠିକଣା ଦେଉଥିବାରୁ ଟେଷ୍ଟିଂ ରିପୋର୍ଟ ଆସିବା ପରେ ସେମାନଙ୍କ ଘର ଠିକଣା ଠାବ ହୋଇପାରୁ ନାହିଁ। ଫଳରେ ସମ୍ପୃକ୍ତ ଘର ଆଖପାଖରେ ମଶାତେଲ ସିଞ୍ଚନ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇ ପାରୁନାହିଁ। ସେହିପରି ସଂକ୍ରମିତ ଚିହ୍ନଟ ହେବା ପରେ ଅନେକ ରୋଗୀ ହସ୍ପିଟାଲରେ ଚିକିତ୍ସିତ ନ ହୋଇ ଘରେ ରହି ଚିକିତ୍ସିତ ହେଉଛନ୍ତି। ଏହାଦ୍ୱାରା ପରିବାରର ଅନ୍ୟ ବ୍ୟକ୍ତିମାନେ ମଧ୍ୟ ସଂକ୍ରମଣର ଶିକାର ହେଉଛନ୍ତି।

ବିଏମ୍‌ସିର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠିଲା

ସହରରେ ସଫେଇଠାରୁ ଆରମ୍ଭ କରି ଘରଘର ବୁଲି ଆବର୍ଜନା ସଂଗ୍ରହ କରାଯାଉଛି। ସହରର ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଏକାଧିକ ସଫେଇ ସଂସ୍ଥା, ଏନ୍‌ଜିଓଙ୍କ ସମେତ ସ୍ବଚ୍ଛସାଥୀ, ସୁପରଭାଇଜର ପ୍ରମୁଖ ନିଯୁକ୍ତ ହୋଇଛନ୍ତି। ମାସକୁ ଲକ୍ଷ ଲକ୍ଷ ଟଙ୍କା ଏ ବାବଦରେ ଖର୍ଚ୍ଚ ହେଉଛି। ଏହାସତ୍ତ୍ୱେ ପ୍ରତିଦିନ ସହରରୁ ୨୦ରୁ ୩୦ ଡେଙ୍ଗୁରୋଗୀ ଚିହ୍ନଟ ହେଉଥିବାରୁ ବିଏମ୍‌ସିର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଡେଙ୍ଗୁକୁ ରୋକିବା ପାଇଁ ବିଏମ୍‌ସି ପକ୍ଷରୁ ଯେଉଁଭଳି ଭାବେ ପଦକ୍ଷେପ ନିଆଯିବା କଥା ତାହା ଏ ପର୍ଯ୍ୟନ୍ତ ହୋଇପାରି ନାହିଁ। ରାସ୍ତାକଡ଼ରେ ପଡି ରହୁଥିବା ଭଙ୍ଗା ଟିଣ, ଟାୟାର, ଫୁଲକୁଣ୍ଡ ଆଦିରେ ପାଣି ଜମା ହୋଇରହୁଛି। ଗତବର୍ଷ ବିଏମ୍‌ସି ପକ୍ଷରୁ ଯେଉଁଭଳି ଭାବେ ଡ୍ରାଏ ଡେ’ ପାଳନ କରାଯାଉଥିଲା ତାହା ଚଳିତବର୍ଷ ଦେଖିବାକୁ ମିଳୁନାହିଁ। ମଶାଧୂଆଁ ନାମକୁ ମାତ୍ର ଦିଆଯାଉଥିବାବେଳେ ନିୟମିତ ଭାବେ ମଶାତେଲ ସିଞ୍ଚନ ହେଉ ନ ଥିବା ସାଧାରଣରେ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri