ରାସ୍ତାରୋକୋ ପରେ ଆଲୁଅ ଜଳିଲା

ବାରିପଦା ଅଫିସ,୩୧।୩: ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଉପଭୋକ୍ତାଙ୍କୁ ବାର୍ଷିକ ବିଦ୍ୟୁତ୍‌ ବିଲ୍‌ ପ୍ରଦାନରେ ବିଳମ୍ବ କରାଯିବା ଓ ବିଲ୍‌ ପୈଠ ନ କରିବାରୁ ବିଭାଗ ପକ୍ଷରୁ ସେମାନଙ୍କ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା। ଏହାର ପ୍ରତିବାଦରେ ବୁଧବାର ଶତାଧିକ ମହିଳା ପୁରୁଷ ମୟୂରଭଞ୍ଜ ଜିଲା ବାରିପଦା-ଚିତ୍ରଡ଼ା ପୂର୍ତ୍ତ ବିଭାଗ ରାସ୍ତାକୁ ଗୁଞ୍ଜୁସାହିଠାରେ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଦର ଥାନା ପୋଲିସ ପହଞ୍ଚିି ଆନ୍ଦୋଳକାରୀଙ୍କୁ ବୁଝାଶୁଝା କରିଥିଲା। ପରେ ଟାଟା ପାୱାର ନର୍ଦନ ଓଡ଼ିଶା ବିଦ୍ୟୁତ୍‌ ବିତରଣ ସଂସ୍ଥା କର୍ତ୍ତୃପକ୍ଷ ପୁର୍ନବାର ବିଦ୍ୟୁତ୍‌ ସେବା ଯୋଗାଇ ଦେବାରୁୁ ରାସ୍ତା ଅବରୋଧ ହଟିଥିଲା।
ସୂଚନା ଅନୁଯାୟୀ,ଟାଟା ପାୱାର ନର୍ଦନ ଓଡ଼ିଶା ବିଦ୍ୟୁତ୍‌ ବିତରଣ ସଂସ୍ଥାର ରଘୁନାଥପୁର ସେକ୍ସନ ଅଧୀନ ଗୁଞ୍ଜୁସାହିର ଏହି ଉପଭୋକ୍ତାଙ୍କୁ ପୂର୍ବରୁ ମାସିକ ବିଦ୍ୟୁତ୍‌ ବିଲ୍‌ ଦିଆଯାଇ ନ ଥିଲା। ଚଳିତ ମାସରେ ପ୍ରତି ଉପଭୋକ୍ତାଙ୍କୁ ବାର୍ଷିକ ୨୦ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ପ୍ରଦାନ କରାଯାଇଥିଲା। ବିପିଏଲ୍‌ ଉପଭୋକ୍ତାମାନେ ଏକ ସଙ୍ଗେ ଏତେ ପରିମାଣର ବକେୟା ଦେୟ ଦେବାକୁ ଅସମର୍ଥ ଦର୍ଶାଇ ହଜାରେ ଦୁଇ ହଜାର ଲେଖାଏ ଟଙ୍କା ପୈଠ କରିଥିଲେ। ତେବେ ମାର୍ଚ୍ଚ ମାସ ପାଇଁ ବିଭାଗ ପକ୍ଷରୁ ମଙ୍ଗଳବାର ବକେୟା ଦେୟ ଥିବା ଗ୍ରାମର ଟ୍ରାନ୍ସଫର୍ମରରୁ ବିଦ୍ୟୁତ୍‌ ଯୋଗାଣ ବିଚ୍ଛିନ୍ନ କରାଯାଇଥିଲା ା ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାସ୍ତାକୁ ଓହ୍ଲାଇଥିଲେ। ଦୀର୍ଘ ୩ ଘଣ୍ଟା ଧରି ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ଠପ୍‌ ହୋଇପଡ଼ିବା ସହ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହୋଇଥିଲେ।