ଢାକା,୨୨।୫: ପାକିସ୍ତାନର ଜେନେରାଲ ଜିଆ ଉଲ ହକ ହୁଅନ୍ତୁ କିମ୍ବା ଅସୀମ ମୁନିର, ସମସ୍ତଙ୍କର ସ୍ବପ୍ନ ସମାନ। ପ୍ରଥମେ ସେନା ଉପରେ ହାତମୁଠା ମଜବୁତ କର ଏବଂ ତା’ପରେ ସରକାରକୁ ଭାଙ୍ଗି ଦିଅ। ଶେଖ ହାସିନାଙ୍କ ପତନ ପରେ ବାଂଲାଦେଶରେ କ୍ଷମତାକୁ ଆସିଥିବା ୟୁନୁସ ସରକାର ପାକିସ୍ତାନକୁ ନିଜର ବଡ଼ ଭାଇ ଭାବରେ ଗ୍ରହଣ କରିଛି ଏବଂ ଭାରତ ବିରୋଧୀ ଭାବନାକୁ ପ୍ରତିଫଳିତ କରୁଛି। ଏବେ ବାଂଲାଦେଶ ସେନା ମଧ୍ୟ ପାକିସ୍ତାନ ସେନାର ପାଦଚିହ୍ନ ଅନୁସରଣ କରିବା ଆରମ୍ଭ କରିଛି।
ଜନସାଧାରଣ ଏବଂ ଛାତ୍ରମାନଙ୍କ ସହିତ, ଦେଶର ସେନା ମଧ୍ୟ ମୁଖ୍ୟ ପରାମର୍ଶଦାତା ୟୁନୁସଙ୍କ ଉପରେ କ୍ରୋଧିତ ଥିବା ଜଣାପଡ଼ିଛି। ବିଦ୍ରୋହର ୧୦ ମାସ ପରେ ମଧ୍ୟ ଦେଶରେ ସାଧାରଣ ନିର୍ବାଚନ ହୋଇନାହିଁ, ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନ ଏହାର ଫାଇଦା ନେବାକୁ ଚାହୁଁଥିବା ଜଣାପଡ଼ିଛି। ବୁଧବାର ଦିନ ଏକ ଉଚ୍ଚସ୍ତରୀୟ ସେନା ବୈଠକରେ ସେ କହିଛନ୍ତି ଯେ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଜାତୀୟ ର୍ନିବାଚନ ହେବା ଉଚିତ।
ପାକିସ୍ତାନରେ, ସେନା ସୁଯୋଗ ପାଇବା ମାତ୍ରେ, ସରକାରକୁ ଭାଙ୍ଗି ଦେଇଥାଏ। ସ୍ବାଧୀନତା ପରଠାରୁ, ଆଜି ପର୍ଯ୍ୟନ୍ତ ପାକିସ୍ତାନର କୌଣସି ପ୍ରଧାନମନ୍ତ୍ରୀ ତାଙ୍କର କାର୍ଯ୍ୟକାଳ ପୂରଣ କରିନାହାଁନ୍ତି। ପାକିସ୍ତାନର ନିକଟତର ହେବା ପରେ, ବାଂଲାଦେଶ ସେନା ମଧ୍ୟ କ୍ଷମତାର ଫଳ ଉପଭୋଗ କରିବାର ସ୍ବପ୍ନ ଦେଖିବା ଆରମ୍ଭ କରିଛି। ଜେନେରାଲ ୱାକାର-ଉଜ-ଜମାନଙ୍କ ସାମ୍ପ୍ରତିକ ବକ୍ତବ୍ୟରୁ ଏହା ଜଣାପଡୁଛି। ସେ ୟୁନୁସ ସରକାରଙ୍କ ଧାଡିରୁ ଦୂରେଇ ଯାଉଥିବା ପରି ମନେ ହେଉଛି।
ଏକ ସୂତ୍ର ସେନାମୁଖ୍ୟଙ୍କୁ ତାଙ୍କ ଅଧିକାରୀମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, “ବାଂଲାଦେଶକୁ ରାଜନୈତିକ ସ୍ଥିରତା ଆବଶ୍ୟକ। ଏହା କେବଳ ଏକ ର୍ନିବାଚିତ ସରକାରଙ୍କ ମାଧ୍ୟମରେ ସମ୍ଭବ, ଅର୍ନିବାଚିତ ନିଷ୍ପତ୍ତି ଗ୍ରହଣକାରୀଙ୍କ ମାଧ୍ୟମରେ ନୁହେଁ।”
ୟୁନୁସ ସରକାର ଦେଶକୁ ନିୟନ୍ତ୍ରଣରେ ରଖିବା ପାଇଁ ଅନେକ ବେସାମରିକ କାର୍ଯ୍ୟରେ ପୋଲିସ ବଦଳରେ ସେନା ନିୟୋଜିତ କରିଛନ୍ତି। ଏଥିରେ ସେନା ମୁଖ୍ୟ ମଧ୍ୟ କ୍ରୋଧିତ ଥିବା ପରି ମନେ ହେଉଛି। ସେ ବୈଠକ ସମୟରେ କହିଥିଲେ ଯେ ସେନାକୁ ଦୀର୍ଘ ସମୟ ପାଇଁ ବେସାମରିକ କାର୍ଯ୍ୟରେ ନିୟୋଜିତ ରଖିବା ପ୍ରତିରକ୍ଷା ପ୍ରସ୍ତୁତି ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ।


