ଦୀର୍ଘବର୍ଷ ପରେ ଗାଁ ଲୋକ ଦେଖିବାକୁ ପାଇଲେ କଂକ୍ରିଟ୍‌ ରାସ୍ତା, ଖେଳିଗଲା ଆନନ୍ଦ

ଧର୍ମଶାଳା,୨୫ା୧୦(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ଉତ୍ତରପ୍ରତାପ ପଞ୍ଚାୟତର ଜଳେଶ୍ୱରପୁର ଗାଁରେ ସ୍ବାଧୀନତାର ଦୀର୍ଘବର୍ଷ ପରେ
ନୂଆ କରି କଂକ୍ରିଟ ରାସ୍ତା ନିର୍ମାଣ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଲୋକେ ଲୋକେ ବେଶ୍‌ ଆନନ୍ଦିତ ହୋଇଛନ୍ତି। କହିଛନ୍ତି, ରାସ୍ତାର ଅବସ୍ଥା ଅତି ଶୋଚନୀୟ ଥିଲା। ଆଣ୍ଠୁଏ ଉଚ୍ଚର କାଦୁଅ ରାସ୍ତାରେ ବିତୁଥିଲା ଜୀବନ। ବିଭିନ୍ନ ସମସ୍ୟା ମଧ୍ୟରେ ଜୀବନ କାଟୁଥିଲେ। ବିଧାୟକଙ୍କ ପ୍ରୟାସ କ୍ରମେ ନୂତନ ରାସ୍ତା ନିର୍ମାଣ ହେବାରୁ ପାଣି କାଦୁଅରୁ ରକ୍ଷା ପାଇଛନ୍ତି। ଏହି ଗାଁରେ ପାଖାପାଖି ହଜାରରୁ ଊର୍ଦ୍ଧ୍ୱ ଲୋକେ ବସବାସ କରୁଥିବା ବେଳେ ମୁଖ୍ୟ ସମସ୍ୟା ଥିଲା ଗାଁ ରାସ୍ତା । ଗାଁ ମଧ୍ୟକୁ ଗୋଟିଏ ଗାଡ଼ି ପଶି ପାରୁ ନ ଥିଲା। ସ୍ବାସ୍ଥ୍ୟ ସମସ୍ୟା ହେଲେ ଆମ୍ବୁଲାନ୍ସ ଆସି ଦୂରରେ ରହୁଥିଲା ଏବଂ ରୋଗୀକୁ ଟେକି ନେଇ ଗାଡ଼ିରେ ଭର୍ତ୍ତି କରିବାକୁ ପଡୁଥିଲା। ମେଡିକାଲରେ ପହଞ୍ଚିଲା ବେଳକୁ ରୋଗୀ ଅବସ୍ଥା ମଧ୍ୟ ଗୁରୁତର ହୋଇ ପଡ଼ୁଥିଲା। ସେହିପରି ଛୋଟ ଛୋଟ ପିଲାମାନେ ମଧ୍ୟ ସ୍କୁଲ, ଟ୍ୟୁସନ ଯିବା ବେଳେ ପାଣି କାଦୁଅରେ ପଶି ଯିବାକୁ ପଡୁଥିଲା। ଅନେକ ସମୟରେ ଗୋଡ଼ ଖସି ପଡ଼ି ଖଣ୍ଡିଆ ଖାବରା ହୋଇ ମେଡିକାଲ ଯିବାକୁ ପଡୁଥିଲା। ବର୍ଷା ଦିନେ ପାଣି ଜମି ରହୁଥିଲା, ଥଣ୍ଡା ଜ୍ବର ଭଳି ରୋଗ ପଛ ଛାଡ଼ୁ ନ ଥିଲା। କେବଳ ଏତିକି ନୁହେଁ ବରଂ ମଶା, ମାଛି ଓ ସରୀସୃପଙ୍କ ପାଇଁ ସନ୍ଧ୍ୟା ହେଲେ ଘର କବାଟ ପକେଇ ଘରେ ରହିବାକୁ ପଡୁଥିଲା। ଏ ବିଷୟରେ ଅନେକ ଥର ଲୋକେ ପ୍ରଶାସନ ଦୃଷ୍ଟି ଆକର୍ଷଣ କରିଥିଲେ ବି କୌଣସି ସୁଫଳ ମିଳି ନ ଥିଲା।

ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ପୂର୍ବ ସରକାର ଏହା ଉପରେ ଦୃଷ୍ଟି ଦେଇ ନ ଥିଲେ। ଗାଁର ଶୁକଦେବ ବେହେରା, ସାନନ୍ଦ ସାହୁ, ପ୍ରହଲ୍ଲାଦ ସ୍ବାଇଁ ଏବଂ ମହିଳା ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ କହିଛନ୍ତି। ଧର୍ମଶାଳାକୁ ବିକାଶର ପ୍ରୟୋଗଶାଳା କୁହାଯାଉଥିବା ବେଳେ ସ୍ଥାନୀୟ ନେତା ଓ କର୍ମୀମାନେ କେବଳ ନିଜର ବିକାଶ କରିଛନ୍ତି। ସାଧାରଣ ଲୋକଙ୍କ କଥା ବୁଝିବା ପାଇଁ ସମୟ ନ ଥାଏ। ନିର୍ବାଚନ ପୂର୍ବରୁ ଅନେକ ନେତା ଆସି ପ୍ରତିଶ୍ରୁତି ଦେଇ ଚାଲି ଯାଆନ୍ତି କିନ୍ତୁ ସମସ୍ୟାର ସମାଧାନ ହୋଇ ପାରୁ ନ ଥିଲା। ଚଳିତ ନିର୍ବାଚନ ପୂର୍ବରୁ ବର୍ତ୍ତମାନର ବିଧାୟକ ହିମାଂଶୁ ଶେଖର ସାହୁ ଗାଁକୁ ଆସି ସ୍ଥିତି ଦେଖିଥିଲେ ଏବଂ ପ୍ରତିଶ୍ରୁତି ମଧ୍ୟ ଦେଇ ଯାଇଥିଲେ। ଯାହା ନିର୍ବାଚନ ୧୫ମାସ ପରେ କରି ଦେଖାଇଛନ୍ତି। ତେଣୁ ଗ୍ରାମବାସୀ ବିଧାୟକ ଏବଂ ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Dharitri – The Largest & Most Trusted Odia Daily