କ୍ଷମତାରୁ ଯିବା ପରେ ବିଜେଡିକୁ ଆଉ ମିଳୁନି ଚାନ୍ଦା, ଆୟ ସମ୍ପର୍କିତ ସତ୍ୟପାଠରୁ ସାମ୍ନାକୁ ଆସିଲା ବଡ଼ ତଥ୍ୟ

ଭୁବନେଶ୍ୱର, ୨୩।୧୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ବାଚନରେ ପରାଜୟ ପରେ ବିଜେଡିକୁ ଆଉ ଚାନ୍ଦା(ଡୋନେଶନ) ମିଳୁନାହିଁ। କ୍ଷମତାରୁ ଯିବା ପରେ ବିଜେଡିକୁ ଆଉ ଚାନ୍ଦା ଦେବାକୁ କେହି ଆଗ୍ରହ ଦେଖାଉନାହାନ୍ତି। ୨୦୨୪-୨୫ ଆର୍ଥିକ ବର୍ଷରେ ବିଜେଡିକୁ ୬୦ କୋଟି ଟଙ୍କା ମିଳିଥିଲା। ହେଲେ ଏହା ଗତ ସାଧାରଣ ନିର୍ବାଚନ ସମୟରେ ହିଁ ମିଳିଥିଲା। ଏହାପରେ ବିଜେଡିକୁ ଚାନ୍ଦା ମିଳିବା ଏକ ପ୍ରକାର ବନ୍ଦ ହେବାକୁ ଲାଗିଲାଣି। ନିର୍ବାଚନ କମିଶନଙ୍କ ନିକଟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦାଖଲ କରାଯାଇଥିବା ଦଳର ଆୟ ସମ୍ପର୍କିତ ସତ୍ୟପାଠରୁ ଏହା ଜଣାପଡ଼ିଛି। ବିଜେଡି କୋଷାଧ୍ୟକ୍ଷ ସୁବାସ ସିଂ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି, ୨୦୨୪-୨୫ ଆର୍ଥିକ ବର୍ଷର ଏପ୍ରିଲ ଓ ମେ’ରେ ଦଳକୁ ୪ଟି ଘରୋଇ ସଂସ୍ଥା ୬୦ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି। କିନ୍ତୁ ତା’ ପରଠାରୁ ଦଳକୁ ଆଉ ଚାନ୍ଦା ମିଳି ନାହିଁ। ଦଳ ପାଖରେ ମୋଟ୍‌ ୭୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ରହିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ସୁଧ ବାବଦରେ ବିଜେଡି ୫୦ କୋଟି ଟଙ୍କା ଆୟ କରିଛି। ଏହିପରି ମୋଟ୍‌ ୨୦୨୪-୨୫ ଆର୍ଥିକ ବର୍ଷରେ ୧୧୦ କୋଟି ଟଙ୍କା ବୋଲି ଜଣାପଡ଼ିଛି।
ଅନ୍ୟପଟେ ଭାଜପାର ନେତା, ମନ୍ତ୍ରୀ ଓ ବିଧାୟକମାନେ ଦଳକୁ ଲକ୍ଷାଧିକ ଟଙ୍କାର ଚାନ୍ଦା ଦେଇଥିବା ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରାଯାଇଥିବା ଆୟ ସମ୍ପର୍କିତ ସତ୍ୟପାଠରୁ ଜଣାପଡ଼ିଛି। ସେଥିରେ ଦର୍ଶାଯାଇଛି ଭାଜପା ଆକାଉଣ୍ଟକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ଆରମ୍ଭକରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକ ବର୍ଦ୍ଧନ ସିଂଦେଓ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ରବି ନାରାୟଣ ନାଏକ, କୃଷ୍ଣ ଚନ୍ଦ୍ର ପାତ୍ର, ପ୍ରଦୀପ ବଳସାମନ୍ତ, କୃଷ୍ଣ ଚନ୍ଦ୍ର ମହାପାତ୍ର, ଗଣେଶ ରାମସିଂ ଖୁଣ୍ଟିଆ, ମୁକେଶ ମହାଲିଙ୍ଗ, ନିତ୍ୟାନନ୍ଦ ଗଣ୍ଡ, ସମ୍ପଦ କୁମାର ସ୍ବାଇଁ, ସୁରେଶ ପୂଜାରୀ ପ୍ରମୁଖ ୫ ଲକ୍ଷ ଟଙ୍କା ଲେଖାଏ ଚାନ୍ଦା ଆକାରରେ ପ୍ରଦାନ କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ୫ ଲକ୍ଷ ଟଙ୍କା ଦେଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧ ଲକ୍ଷ ଟଙ୍କା ଚାନ୍ଦା ଦେଇଛନ୍ତି। ଏମ୍‌ପି ପ୍ରଦୀପ ପୁରୋହିତ, ଅନନ୍ତ ନାଏକ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସଙ୍ଗୀତା ସିଂଦେଓ, ଅଭିମନ୍ୟୁ ସେଠୀ ପ୍ରମୁଖ ଏମ୍‌ପିମାନେ ୨ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରିଛନ୍ତି। ଏମ୍‌ପି ବୈଜୟନ୍ତ ପଣ୍ଡା ୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ୫ ଲକ୍ଷ ଟଙ୍କା ଦେଇଥିବା ବେଳେ ଦଳର ପ୍ରାୟ ସବୁ ବିଧାୟକ ଚାନ୍ଦା ଆକାରରେ ଲକ୍ଷେ ଟଙ୍କା ଲେଖାଏ ପ୍ରଦାନ କରିଛନ୍ତି। ସେହିପରି ଭାଜପାର ପୂର୍ବତନ ବିଧାୟକମାନେ ୨୫ ହଜାର ଟଙ୍କା ଲେଖାଏ ଦେଇଥିବା ଜଣାପଡ଼ିଛି।

Dharitri – The Largest & Most Trusted Odia Daily