ରସୁଲପୁର,୧।୨(ରଞ୍ଜିତ ରାଉତ): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ନଠୁଆବର ପଞ୍ଚାୟତର ଜଣେ ନାବାଳିକା ତାଙ୍କ ମା’ବାପାଙ୍କୁ ଖାଇବାରେ ନିଶା ଦେଇ ଫେରାର ହୋଇ ଯାଇଛନ୍ତି। ନିଶା ପ୍ରଭାବରେ ଦମ୍ପତିଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଛି। ସେମାନଙ୍କୁ ଯାଜପୁର ଜିଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି। ନାବାଳିକା ଜଣକ ବୁଧବାର ରାତିରେ ଖାଇବାରେ ନିଶା ମିଶାଇ ଦେଇଥିଲେ। ନିଶାଯୁକ୍ତ ଖାଦ୍ୟ ଖାଇ ତାଙ୍କ ମା’ବାପା ଶୋଇପଡ଼ିଥିଲେ। ଏହି ସୁଯୋଗରେ ନାବାଳିକା ଜଣକ ଘରୁ ଫେରାର ହୋଇଯାଇଥିଲେ। ଗଲାବେଳେ ସେ ସାଙ୍ଗରେ ୨୫ହଜାର ଟଙ୍କା ସହ ସୁନା ଅଳଙ୍କାର ନେଇ ଯାଇଥିବା ଜଣାଯାଇଛି। ତେବେ ନାବାଳିକାଜଣକ ନିଶା ବଟିକା କେଉଁଠୁ ଆଣିଲେ, ଏହି ବଟିକା କିଣିବା ପଛରେ ଆଉ କାହାର ସହଯୋଗ ରହିଛି କି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିଶା ବଟିକା କ୍ରୟ ହୋଇଥିବା ଦୋକାନ ଓ ବିନା ଡାକ୍ତରୀ ଚିଠାରେ କିଭଳି ଏହି ବଟିକା ବିକ୍ରି କରାଗଲା ସେ ସବୁ ଦିଗକୁ ନେଇ ତଦନ୍ତ କରାଗଲେ ସତ୍ୟାସତ୍ୟ ପ୍ରଘଟ ହୋଇପାରିବ ବୋଲି କୁହାଯାଉଛି। ଏନେଇ କୁଆଖିଆ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ପୋଲିସ ସୂତ୍ରରୁ ଜଣାଯାଇଛି। ତେବେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି।