ଜବରଦଖଲ ଉଚ୍ଛେଦ ପରେ ସ୍ବାସ୍ଥ୍ୟକେନ୍ଦ୍ର ଚାରିପାଖେ ପଡ଼ିଥିଲା କୁଢ଼କୁଢ଼ ଅଳିଆ: ହାତରେ ଝାଡ଼ୁଧରି ସଫାକଲେ ଡାକ୍ତର    

ଦାରିଙ୍ଗବାଡ଼ି,୨୮।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବଜାରରେ ସ୍ବାସ୍ଥ୍ୟକେନ୍ଦ୍ରର ସମ୍ମୁଖରେ ଏକାଧିକ ହୋଟେଲ, ପନିପରିବା ଦୋକାନ ଆଦି ରହିଥିଲା।
ତେବେ ଜବର ଦଖଲ ଉଚ୍ଛେଦ ପରେ ଉଠାଦୋକାନୀ ସେଠାରେ ପକାଇଥିବା କୁଢ଼କୁଢ଼ ଅଳିଆକୁ ବୁଧବାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟଙ୍କ ସମେତ ସ୍ବାସ୍ଥ୍ୟକେନ୍ଦ୍ରର ଅନ୍ୟ ଡାକ୍ତର ଏବଂ ସମସ୍ତ କର୍ମଚାରୀମାନେ ହାତରେ ଝାଡୁଧରି ସଫେଇ କରିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରର ବାହାର ଚାରିପଟେ ଏବଂ ପରିସରକୁ ସଫେଇ କରାଯାଇଥିଲା।ମୁଖ୍ୟ ଫାଟକ ଓ ତାର ଆଖପାଖ ଅଞ୍ଚଳରେ ଉଠାଦୋକାନୀ ଓ ଯାତ୍ରୀମାନେ ଅଇଁଠା ଖଲିପତ୍ର, ପ୍ଲାଷ୍ଟିକ, ଚା’କପ ସମେତ ପଲିଥିନ ବର୍ଜ୍ୟବସ୍ତୁ ପକାଇ ପରିବେଶକୁ ଦୂଷିତ କରିରଖିଥିଲେ।
 ସେହିପରି ଯାତ୍ରୀବାହି ବସ୍‌ ଗୁଡିକ ସେଠାରେ ପାର୍କିଂ କରୁଥିବାରୁ ଯାତ୍ରୀମାନେ ସେଠାରେ ଦୂଷିତ ପରିବେଶରେ ବସ୍‌କୁ ଅପେକ୍ଷା କରୁଥିଲେ। ତେଣୁ ଏହାକୁ ସଫେଇ କରାଯିବାକୁ ପଦକ୍ଷେପ ନିଆଯାଇଥିଲା। ଆଗକୁ ଲୋକମାନେ ସ୍ବାସ୍ଥ୍ୟକେନ୍ଦ୍ରର ବାହାର ମୁଖ୍ୟ ଫାଟକ ସମେତ ଭିତର ପରିବେଶକୁ ସଫେଇ ରଖିବାକୁ ଇନଚାର୍ଜ ସାମନ୍ତରାୟ ନିବେଦନ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ବିପିଏମ୍‌ ଶାନ୍ତନୁ ସାହୁ ପରିଚାଳନା କରିଥିଲେ।
Dharitri – Odisha’s No.1 Odia Daily