ଛେଣ୍ଡିପଦା,୧।୧୦(ଅଜିତ ଧଳ): ଦେବଗଡ଼ ପରେ ଏବେ ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳରେ ମହାବଳ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି। ଏହି ପାଦ ଚିହ୍ନ ଛେଣ୍ଡିପଦା ଓ ପାଟକୁଣ୍ତା ଜଙ୍ଗଲରେ ଦେଖିବାକୁ ମିଳିଛି। ପାଦ ଚିହ୍ନକୁ ନେଇ ବନବିଭାଗ ଛାନ୍ ଭିନ୍ ଆରମ୍ଭ କରିଥିବା ବେଳେ ପାଦ ଚିହ୍ନ ମହାବଳ ବାଘର ହୋଇଥିବା ସନ୍ଦେହ କରାଯାଉଛି।
ସୋମବାର ଦେବଗଡ଼ ବନାଞ୍ଚଳ ବାଘବର ନିକଟରେ ବାଘ ପାଦ ଚିହ୍ନ ଦେଖିବାକୁ ମିଳିଥିଲା। ଠିକ୍ ସେହିପରି ମଙ୍ଗଳବାର ଛେଣ୍ଡିପଦା ବନାଞ୍ଚଳର କଂକୁରପାଳ ଗାଁ ନିକଟ ଦେଇ ଏକ ମହାବଳ ବାଘ ଗଉନାଳ ପାରି ହୋଇ ସଂରକ୍ଷିତ ଜଙ୍ଗଲକୁ ଯାଉଥିବା ସମ୍ପୃକ୍ତ ପାଦ ଚିହ୍ନରୁ ଜଣାପଡିଛି।
ଫଳରେ ଜଙ୍ଗଲ ନିକଟବର୍ତ୍ତୀ ଗାଁଗୁଡିକରେ ଭୟର ବାତାବରଣ ଖେଳି ଯାଇଛି। ଏ ନେଇ ବନବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବାଘ ପାଦ ଚିହ୍ନର ଫୋଟୋ ପ୍ରିଣ୍ଟ ନେବା ପରେ ରାସ୍ତା ପାର୍ଶ୍ୱରେ ପଡ଼ିଥିବା ପାଦ ଚିହ୍ନକୁ ଲିଭେଇ ଦିଆଯାଇଛି।
ବୁଧବାର ସକାଳେ ବାଘଟି କଙ୍କୁରପାଳ ଗାଁ ଦେଇ ନାଳପାର ହୋଇ ଯାଇଥିବା ସ୍ଥାନୀୟ ପ୍ରତ୍ୟକ୍ଷ ଦର୍ଶୀ ପ୍ରକାଶ କରିଛନ୍ତି l ସାଇଣ୍ଟିଫିକ ଏକ୍ସପଟ ଦ୍ବାରା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏପରିକି ଜଙ୍ଗଲ ନିକଟବର୍ତ୍ତୀ ଗାଁଗୁଡିକରେ ଲୋକଙ୍କୁ ସଚେତନ କରାଯାଉଥିବା ବନାଞ୍ଚଳ ଅଧିକାରୀ ଶୁଭ୍ରାଶୁ ଚିସ୍ମିତା ମହାପାତ୍ର ସୂଚନା ଦେଇଛନ୍ତି।