ଦୀର୍ଘ ୩୦ ବର୍ଷ ପରେ ନୂଆ ଅଭିଯୋଗ ପ୍ରକୋଷ୍ଠ: ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୫: ଭୁବନେଶ୍ୱର ୟୁନିଟ-୨ ଠାରେ ନୂଆ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ  ଅଭିଯୋଗ ଶୁଣିଛନ୍ତି। ସମସ୍ୟା ଓ ଦୁଃଖ ଶୁଣିବା ସହିତ ଏହାର ସମାଧାନ ଓ ପ୍ରତିକାର ପାଇଁ ପଦକ୍ଷେପ ନେଇଛନ୍ତି। ସୋମବାର  ୧ ହଜାର ଅଭିଯୋଗକାରୀ ଅନ୍‌ଲାଇନ୍‌ ମାଧ୍ୟମରେ ନାମ ପଞ୍ଜିକୃତ କରିଥିଲେ। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ୬ ଜଣ ବରିଷ୍ଠ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସଚିବ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।  ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣି ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ମନ୍ତ୍ରୀ ଓ ସଚିବମାନଙ୍କୁ ନିର୍ଦ୍ଦେଶ ଦେଉଥିଲେ।  ସବୁଥର ପରି ମୁଖ୍ୟମନ୍ତ୍ରୀ ସକାଳେ ଆସି ବାହାରେ ଅପେକ୍ଷା କରିଥିବା ଭିନ୍ନକ୍ଷମ ଓ ଦୂରାରୋଗ୍ୟରେ ପୀଡିତ ଲୋକମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଥିଲେ।
ସିଙ୍ଗିଲ ୱିଣ୍ଡୋ ସିଷ୍ଟମରେ ଅସାଧ୍ୟ ଓ ଦୂରାରୋଗ୍ୟରେ ପୀଡ଼ିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଛି। ଆଜି ଏହି ସିଷ୍ଟମରେ ଚିକିତ୍ସା ଖର୍ଚ୍ଚ ପାଇଁ ନୟାଗଡର ସନ୍ତୋଷ ବିଶ୍ୱାଳଙ୍କୁ ୫୦ ହଜାର ଟଙ୍କା, ଯାଜପୁରର ବିଷ୍ଣୁଚରଣ ସାହୁଙ୍କୁ ୧ ଲକ୍ଷ ଟଙ୍କା, ଭଦ୍ରକର ଲକ୍ଷ୍ମୀଧର ସେଠୀଙ୍କୁ ୧ ଲକ୍ଷ ଟଙ୍କା, କଟକର ସାତ୍ତ୍ୱିକ କରଙ୍କୁ ୧ ଲକ୍ଷ ଟଙ୍କା, କେନ୍ଦୁଝରର ନବୀନ କୁମାର ସେଠୀଙ୍କୁ ୨ ଲକ୍ଷ ଟଙ୍କା, ମୟୁରଭଞ୍ଜର ସୁନିତା ଚୌଧୁରୀଙ୍କୁ ୧ ଲକ୍ଷ ଟଙ୍କା, କଟକର ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ୫୦ ହଜାର ଟଙ୍କା, ବୌଦ୍ଧର ନିଳକଣ୍ଠ ପ୍ରଧାନ ଓ ଯଦୁମଣୀ କର୍ମୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ, ଗଞ୍ଜାମର ଛାୟା ନାୟକଙ୍କୁ ୧ ଲକ୍ଷ ଟଙ୍କା, ଭଦ୍ରକର ବୁଦ୍ଧିଆ ମଣ୍ଡଳଙ୍କୁ ୧ ଲକ୍ଷ ଟଙ୍କା, ନବରଙ୍ଗପୁରର କମଳା ନାୟକଙ୍କୁ ୧ ଲକ୍ଷ ଟଙ୍କା, ଖୋର୍ଦ୍ଧାର କୈଳାସ ପଲେଇଙ୍କୁ ୧ ଲକ୍ଷ ଟଙ୍କା ଏବଂ କଟକର ସୁରେଶ କୁମାର ଜେନାଙ୍କୁ ଅନୁକମ୍ପାମୂଳକ ସହାୟତା ବାବଦକୁ ୫୦ ହଜାର ଟଙ୍କା, ଏହିପରି ୧୪ ଜଣଙ୍କୁ ସମୁଦାୟ ୧୩ ଲକ୍ଷ ୫୦ ହଜାର ଟଙ୍କାର ସହାୟତା ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ।
ଏହି ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଉପରେ ଲୋକଙ୍କ ଆସ୍ଥା ବଢିଛି। ସେମାନେ ବିଭିନ୍ନ ସମସ୍ୟା ନେଇ ଆମ ପାଖକୁ ଆସୁଛନ୍ତି । ଲୋକଙ୍କୁ ନିରନ୍ତର ନ୍ୟାୟ ପ୍ରଦାନ କରିବା ପାଇଁ ଆମେ ଏହି କାର୍ଯ୍ୟକ୍ରମ ଜାରି ରଖିଛୁ। ଆମ ସରକାର ନିରନ୍ତର ଭାବେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି, ଏବଂ ତାହାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହା ମାଧ୍ୟମରେ ଗରିବ ଓ ଅସହାୟଙ୍କୁ ସହାୟତା ପ୍ରଦାନ କରାଯାଉଛି। ଆଗାମୀ ଦିନରେ ଆଞ୍ଚଳିକ ସ୍ତରରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଦଶମ ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ୧୦,୨୩୪ଟି ଅଭିଯୋଗ ମଧ୍ୟରୁ ୮,୭୧୩ଟି ଅଭିଯୋଗର ସମାଧାନ କରାଯାଇଛି । ଯାହା ଶତକଡ଼ା ୮୫ ପ୍ରତିଶତ ଅଟେ । ବକେୟା ଅଭିଯୋଗ ଗୁଡ଼ିକ ପ୍ରୋସେସରେ ରହିଛି ।
ଦୀର୍ଘ ୩୦ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ପାଇଁ ସ୍ଥିରୀକୃତ ହୋଇଥିବା କ୍ୱାଟର୍ସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହୁନଥିବାରୁ ଅଭିଯୋଗ ପ୍ରକୋଷ୍ଠକୁ ନେଇ କୌଣସି ସମସ୍ୟା ହୋଇ ନ ଥିଲା । ଏପରିକି ସରକାର ବଦଳିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ଏହାର ନବୀକରଣ କରାଯାଇଥିଲା । କିନ୍ତୁ ଏବେ ତାହାର ଠିକଣା ବଦଳିଛି ।

Share