୬ ମାସ ପରେ ଖୋଲିଲା ମଝିଘରିଆଣିଙ୍କ ମନ୍ଦିର ହୁଣ୍ଡି: ବାହାରିଲା ଏତେ କୋଟି ଟଙ୍କା ସହ ବିଦେଶୀ…

ରାୟଗଡା, ୧୯।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି କରାଯାଇଛି। ଉକ୍ତ ୯ ହୁଣ୍ଡିରୁ ନଗଦ ୧ କୋଟି ୫ ଲକ୍ଷ ୫୨ ହଜାର ୮୪୫ ଟଙ୍କା ସମେତ ୩୦ ଗ୍ରାମ ସୁନା ଓ ୨୧୫୦ ଗ୍ରାମ ରୂପା ବାହାରିଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି । ଏଥିସହିତ ବିଭିନ୍ନ ପ୍ରକାର ୫ ଟି ଦେଶର ୨୩ ଟି ବିଦେଶୀ ନୋଟ ମଧ୍ୟ ବାହାରିଛି। ଯେଉଁଥିରେ ରହିଛି ଆମେରିକା, ଶ୍ରୀଲଙ୍କା ଓ ୟୁଏଇ ଦେଶର ନୋଟ ଓ ମୁଦ୍ରା। ବିଦେଶରେ ରହୁଥିବା କୌଣସି ଭକ୍ତ ମା’ଙ୍କ ଦର୍ଶନ ପାଇଁ ଆସି ଏହି ବିଦେଶୀ ଟଙ୍କା ହୁଣ୍ଡିରେ ଦାନ କରିଥିବା ଅନୁମାନ କରାଯାଉଛି। ଏଥିସହ ଗୋଟିଏ ଲେଖାଏ ଅଚଳ ୫୦୦ ଓ ୨୦୦୦ ଏବଂ ଗୋଟିଏ ୧ ହଜାର ଟଙ୍କା ନୋଟ ବାହାରିଛି। ସକାଳ ୯ ଟାରେ ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ମନ୍ଦିର ପରିଚାଳନା କମିଟି ତରଫରୁ ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ ହୋଇଥିଲା। ଦୀର୍ଘ ୮ ଘଣ୍ଟା ଧରି ଗଣତି ହୋଇଥିଲା। ଏହା ପୂର୍ବରୁ ଜୁଲାଇ ୭ ତାରିଖରେ ହୁଣ୍ଡିରୁ ନଗଦ ନଗଦ ୧ କୋଟି ୪ ଲକ୍ଷ ୩୬ ହଜାର ୯୬୩ ସହିତ ୮୩ ଗ୍ରାମ ସୁନା ଓ ୨୫୦୫ ଗ୍ରାମ ରୂପା ବାହାରିଥିଲା। ଏଥିସହିତ ବିଭିନ୍ନ ପ୍ରକାର ଦେଶର ବିଦେଶୀ ନୋଟ ମଧ୍ୟ ବାହାରିଥିଲା। ହୁଣ୍ଡିରୁ ବାହାରିଥିବା ଟଙ୍କା ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆରେ ଗଚ୍ଛିତ ରଖାଯାଇଛି। ସେହିଭଳି ସୁନା ଓ ରୁପା ଜିଲା କୋଷାଗାରକୁ ପଠାଇ ଦିଆଯାଇଛିା ଏହି ଗଣତିରେ ବ୍ୟାଙ୍କ କର୍ମଚାରୀଙ୍କ ସମେତ ଅନେକ ସ୍ବେଚ୍ଛାସେବୀ ସାମିଲ ହୋଇଥିଲେ। ହୁଣ୍ଡି ଖୋଲିବା ଓ ଗଣତି ବେଳେ ପୋଲିସ ଓ ମନ୍ଦିର ସୁରକ୍ଷା କର୍ମୀଙ୍କ ଦ୍ୱାରା ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା।

 

Dharitri – The Largest & Most Trusted Odia Daily

Share
Tags: odisha