୨୧ ବର୍ଷ ପରେ ଜାତୀୟ ପରେଡରେ କମାଲ ଦେଖାଇବ ବଜାଶାଲ ନୃତ୍ୟ

ଭବାନୀପାଟଣା,୩।୧(ଡି.ଏନ.ଏ.): ଘୁମୁରା ନାଚର ୨୧ ବର୍ଷ ପରେ ଆସନ୍ତା ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପରେଡରେ କଳାହାଣ୍ଡି ଜିଲା ଭବାନୀପାଟଣା ସହର ପ୍ରତିଭା ଅନୁଷ୍ଠାନର ୮୦ ଜଣ କଳାକାର ବଜାଶାଲ ନୃତ୍ୟ ପରିବେଷଣ କରି ନିଜ କମାଲ ଦେଖାଇବେ। ଏନେଇ କଳାକାରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। ଅନ୍ୟପକ୍ଷେ କଳାକାରମାନେ ଭବାନୀପାଟଣା ଲାଲବାହାଦୃର ଶାସ୍ତ୍ରୀ ଷ୍ଟାଡିୟମ୍‌ରେ ଜୋରଦାର ନୃତ୍ୟ ଅଭ୍ୟାସ କରିଛନ୍ତି। କଳାକାରମାନେ ଦିଲ୍ଲୀ ଯିବା ପୂର୍ବରୁ କୋଭିଡ୍‌ ପରୀକ୍ଷା କରାଇଥିଲେ। ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ରହିଛି। ରବିବାର ସକାଳ ୧୦ଟାରେ ଭବାନୀପାଟଣା ସହରସ୍ଥିତ ବିଜୁ କଲ୍ୟାଣ ମଣ୍ଡପରୁ କଳାକାରମାନେ କେସିଙ୍ଗା ଅଭିମୁଖେ ଯାତ୍ରା କରିଛନ୍ତି ା କେସିଙ୍ଗାରୁ ସମତା ଟ୍ରେନ୍‌ ଯୋଗେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିବେ ବୋଲି ପ୍ରତିଭା ଅନୁଷ୍ଠାନର ସଭାପତି ଧ୍ୟାନାନନ୍ଦ ପଣ୍ଡା ସୂଚନା ଦେଇଛନ୍ତି । ବଜାଶାଲ ଟିମ୍‌ର ଦିଲ୍ଲୀ ଗସ୍ତ ନେଇ ସାଧାରଣରେ ଖୁସିର ମହୋଲ ସୃଷ୍ଟି ହୋଇଛି ।୧୯୯୯ରେ ଭବାନୀପାଟଣା ସହର ସ୍ଥିତ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୧୮୫ ଜଣିଆ ଘୁମୁରା ଟିମ୍‌ ଜାତୀୟ ପରେଡ୍‌ରେ ପ୍ରଦର୍ଶନ କରିଥିଲା।