ନୂଆଦିଲ୍ଲୀ,୨୦।୫: ଭାରତ ପାକିସ୍ତାନକୁ ପାଣି ପ୍ରବାହ ଉପରେ ନିୟନ୍ତ୍ରଣ କରିବା ପାଇଁ ଇଣ୍ଡସ ଜଳ ଚୁକ୍ତି ସ୍ଥଗିତ ରଖିଥିବା ବେଳେ, ଏବେ ଆଫଗାନିସ୍ତାନ ମଧ୍ୟ ପାକିସ୍ତାନକୁ ପାଣି ଯୋଗାଣ ବନ୍ଦ କରିବା ପାଇଁ କୁନାର ନଦୀ ଉପରେ ବନ୍ଧ ନିର୍ମାଣ କରିବାକୁ ଯୋଜନା କରୁଛି ବୋଲି ବାଲୋଚ କାର୍ଯ୍ୟକର୍ତ୍ତା ମୀର ଯାବ ବାଲୋଚ ଦାବି କରିଛନ୍ତି। ଏହି ଦାବି ଏପର୍ଯ୍ୟନ୍ତ ଆଫଗାନିସ୍ତାନ ସରକାରଙ୍କ ତରଫରୁ ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇନାହିଁ।
ବାଲୋଚ କାର୍ଯ୍ୟକର୍ତ୍ତା ମୀର ଯାବ ବାଲୋଚ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି କହିଛନ୍ତି, “ଏହା ପାକିସ୍ତାନର ଶେଷର ଆରମ୍ଭ। ଭାରତ ପରେ, ଏବେ ଆଫଗାନିସ୍ତାନ ମଧ୍ୟ ପାକିସ୍ତାନକୁ ପାଣି ପ୍ରବାହ ବନ୍ଦ କରିବା ପାଇଁ ବନ୍ଧ ର୍ନିମାଣ କରୁଛି।” ସେ ଆହୁରି କହିଛନ୍ତି ଯେ ତାଲିବାନ ଶାସନର ସେନା ଜେନେରାଲ ମୁବିନ କୁନାର ଅଞ୍ଚଳ ପରିଦର୍ଶନ କରି ବନ୍ଧ ର୍ନିମାଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଇଣ୍ଡସ ଜଳ ଚୁକ୍ତି ସ୍ଥଗିତ ରଖିଥିଲା। ଏହା ପାକିସ୍ତାନର କୃଷି କ୍ଷେତ୍ର ପାଇଁ ଏକ ବ ଆଘାତ ହୋଇପାରେ, କାରଣ ଇଣ୍ଡସ ନଦୀ ପାକିସ୍ତାନର ୮୦% ଜଳସେଚନ କୃଷି ପାଇଁ ପାଣି ଯୋଗାଇଥାଏ। ଏବେ ଆଫଗାନିସ୍ତାନର ଏହି ଯୋଜନା ପାକିସ୍ତାନ ପାଇଁ ଆହୁରି ଚାପ ସୃଷ୍ଟି କରିପାରେ।
ମୀର ଯାବ ବାଲୋଚ ଆହୁରି କହିଛନ୍ତି, “ଆଫଗାନିସ୍ତାନକୁ ଏହି ବନ୍ଧ ର୍ନିମାଣ କରିବାରେ ସମର୍ଥନ ଦେବା ଉଚିତ, ଯାହା ଦାରା ଆତଙ୍କବାଦୀ ପାକିସ୍ତାନ ଗୋଟିଏ ବୁନ୍ଦା ପାଣି ମଧ୍ୟ ପାଇବ ନାହିଁ।” ସେ ବାଲୁଚିସ୍ତାନରେ ଖଣିଜ ସମ୍ପଦର ଶୋଷଣ ବନ୍ଦ କରିବା ପାଇଁ ମଧ୍ୟ ପ୍ରୟାସ କରୁଥିବା କହିଛନ୍ତି। ଏହି ଘଟଣା ଦକ୍ଷିଣ ଏସିଆରେ ଜଳ ନିୟନ୍ତ୍ରଣ ଏବଂ ଆଞ୍ଚଳିକ ରାଜନୀତିରେ ନୂଆ ଉତ୍ତେଜନା ସୃଷ୍ଟି କରିପାରେ। ତେବେ, ଏହି ଦାବି ସମ୍ପର୍କରେ ଆଫଗାନିସ୍ତାନ ସରକାରଙ୍କ ତରଫରୁ କୌଣସି ଆନୁଷ୍ଠାନିକ ବିବୃତି ଏପର୍ଯ୍ୟନ୍ତ ଜାରି ହୋଇନାହିଁ।


