କାମରେ ଆସୁନି ସୁଲଭ ଶୌଚାଳୟ, ୫ ଲକ୍ଷ ଟଙ୍କା ବିନିମୟରେ…

ମୋହନା,୨୮ା୧୨(ମନ୍ମଥ ମିଶ୍ର): ଗଜପତି ଜିଲାର ମୋହନା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ପରିଚିତ। ୩୯ଟି ପଞ୍ଚାୟତକୁ ନେଇ ମୋହନା ବ୍ଲକ ବାଣିଜ୍ୟ ବ୍ୟବସାୟର ପେଣ୍ଠସ୍ଥଳୀ । ରାତି ପାହିଲେ ହଜାର ହଜାର ଲୋକ ଏଠାକୁ ବିଭିନ୍ନ ସରକାରୀ ଓ ବେସରକାରୀ କାମ ନେଇ ଆସନ୍ତି। ଏଠି ସ୍କୁଲ, କଲେଜ, ତହସିଲ, ପୋଷ୍ଟ ଅଫିସ, କୋର୍ଟ, ବ୍ୟାଙ୍କ, ଥାନା, ଅଗ୍ନିଶମ ବିଭାଗ, ଗ୍ରାମ ଉନ୍ନୟନ ବିଭାଗ,ବନାଞ୍ଚଳ ବିଭାଗ, ଶିକ୍ଷା ବିଭାଗ ଓ ବେସରକାରୀ କାର୍ଯ୍ୟାଳୟ ମଧ୍ୟ ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଗତ ୧୭.୫.୩ରେ ୫ ଲକ୍ଷ ଟଙ୍କା ବିନିମୟରେ ନୂଆ ବସ୍‌ଷ୍ଟାଣ୍ଡ ପରିସର ମଧ୍ୟରେ ଏକ ସୁଲଭ ଶୌଚାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ପରିତାପର ବିଷୟ ୨୦୨୫ଶେଷ ହେବାକୁ ବସିଲାଣି କିନ୍ତୁ ଏଯାବତ୍‌ ଶୌଚାଳୟଟି କାର୍ଯ୍ୟକ୍ଷମ ହୋଇପାରି ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ପରିତ୍ୟକ୍ତ ଅବସ୍ଥାରେ ଲଟାବୁଦା ମଧ୍ୟରେ ଶୌଚାଳୟଟି ତାଲା ପଡ଼ି ରହିଛି। ଏଯାବତ୍‌ ଶୌଚାଳୟକୁ ପାଣି ସଂଯୋଗ ମଧ୍ୟ ହୋଇନି। ଯଥାଶୀଘ୍ର ପ୍ରଶାସନ ପକ୍ଷରୁ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ସହରର କୌଣସି ସ୍ଥାନରେ ଶୌଚାଳୟ ନ ଥିବାରୁ ଲୋକେ ପରିସ୍ରା ଓ ଶୌଚ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ପଞ୍ଚାୟତ କନିଷ୍ଠ ଯନ୍ତ୍ରୀ ପ୍ରଦୁମ୍ନ ନାୟକଙ୍କୁ ଯୋଗାଯୋଗ କରିବାରୁ ସେ ଯାହା ଅଟକଳ ପରିମାଣ ଥିଲା ସେହି ଅର୍ଥରେ ଶୌଚାଳୟର କାର୍ଯ୍ୟ ସମାପ୍ତ ହୋଇଛି। କିନ୍ତୁ ପାଣିର ବ୍ୟବସ୍ଥା ହୋଇପାରିନାହିଁ। ପଞ୍ଚାୟତ ତରଫରୁ ୫୦ ହଜାର ଟଙ୍କା ରଖାଯାଇଛି ବାକି ରହିଯାଇଥିବା କାର୍ଯ୍ୟ ଅତିଶୀଘ୍ର ସମ୍ପୂର୍ଣ୍ଣ ହେବ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Share
Tags: toilet