ସୁଲଭ ମୂଲ୍ୟରେ ପୁରୀରେ ରହଣି ସୁବିଧା: ୧୦୦ରୁ ୧୫୦ ଟଙ୍କାରେ ରହିପାରିବେ ଭକ୍ତ

ପୁରୀ ଅଫିସ,୨୦ା୧୨: ପୁରୀ ସହରରେ ଏବେ ଭକ୍ତଙ୍କୁ ସୁଲଭ ମୂଲ୍ୟରେ ରହଣି ସୁବିଧା ମିଳିବ। ମାତ୍ର ୧୦୦ରୁ ୧୫୦ଟଙ୍କା ମଧ୍ୟରେ ଏହି ସୁବିଧା ଯୋଗାଇ ଦିଆଯିବ। ଭକ୍ତ ନିବାସ ନିର୍ମାଣ କରାଯାଇ ଏକକାଳୀନ ୪ରୁ ୫ହଜାର ଲୋକଙ୍କୁ ଯେପରି ଏହି ସୁବିଧା ମିଳିପାରିବ, ସେନେଇ ଶନିବାର ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୁରୁତ୍ୱ ଦିଆଯାଇଛି।

ଦେଶରେ ପୁରୀ ଏକ ଅଗ୍ରଣୀ ତୀର୍ଥକ୍ଷେତ୍ର ହୋଇଥିବାରୁ ପ୍ରତ୍ୟହ ବହୁସଂଖ୍ୟକ ଶ୍ରଦ୍ଧାଳୁ ଏଠାକୁ ଆସନ୍ତି। ପୂର୍ବରୁ ଏଠାରେ ଥିବା ଭକ୍ତନିବାସରେ ଭକ୍ତମାନେ ରହୁଛନ୍ତି ସତ, ମାତ୍ର ସମସ୍ତଙ୍କ ପକ୍ଷେ ବ୍ୟୟ ସାପେକ୍ଷ ରହଣି ସମ୍ଭବ ହେଉନାହିଁ। ତେଣୁ ଭକ୍ତଙ୍କ ପାଇଁ କିଭଳି କମ୍‌ ମୂଲ୍ୟରେ ରାତ୍ରିଯାପନ ଲାଗି ଏକ ଶଯ୍ୟା ବ୍ୟବସ୍ଥା କରାଯାଇପାରିବ ସେନେଇ ପ୍ରଶାସନ ଆଲୋଚନା କରିଛି। ଏଥିପାଇଁ ଏକ ଜମି ଚିହ୍ନଟ ହୋଇସାରିଛି।

ସ୍ଥାନୀୟ ବାସେଳି ସାହି ଥାନା ନିକଟ ଏକ ଜମିରେ ଏହି ଭକ୍ତ ନିବାସ ନିର୍ମାଣ କରିବା ପାଇଁ ଜିଲା ଓ ଶ୍ରୀମନ୍ଦିର ପ୍ରଶାସନ ଯୋଜନା କରୁଛି। ଅନ୍ୟପକ୍ଷରେ ପାର୍କିଂ ସମସ୍ୟା ଦୂର କରିବା ପାଇଁ ଜିଲା ପ୍ରଶାସନ ଜେଲ ରୋଡ୍‌ ପାର୍କିଂସ୍ଥଳୀ କାର୍ଯ୍ୟକୁ ଧାର୍ଯ୍ୟ ସମୟରେ ସାରିବା ଲାଗି ଜୋର ଦେଇଛି। ଜେଲ୍‌ ରୋଡଠାରେ ୧୨ଶହ କାର୍‌ ପାର୍କିଂ କରିବା ନେଇ ବ୍ୟବସ୍ଥା ହେଉଛି। ଏହାବ୍ୟତୀତ ଅନ୍ୟ କେତେକ ସ୍ଥାନରେ ମଧ୍ୟ ପାର୍କିଂସ୍ଥଳୀ ନିର୍ମାଣ କରାଯାଉଛି। ପୁରୀକୁ ଏକ ବିଶ୍ୱସ୍ତରୀୟ ହେରିଟେଜ ଭାବେ ବିକଶିତ କରିବାକୁ ହେଲେ ପାର୍କିଂକୁ ଅଗ୍ରାଧିକାର ଦିଆଯିବା ଆବଶ୍ୟକ ବୋଲି ଜିଲା ପ୍ରଶାସନ ସ୍ପଷ୍ଟ କରିଛି। ବୈଠକରେ ସହରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ପୁରୀ ସ୍ବର୍ଗଦ୍ୱାର ବିକାଶ ଓ ନବୀକରଣ ପ୍ରକଳ୍ପ, ଲୋକନାଥ ମନ୍ଦିର ଚତୁଃପାର୍ଶ୍ୱ କାର୍ଯ୍ୟ, ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଓ ପୁଷ୍କରିଣୀ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଉପରେ ବୈଠକରେ ମତ ପ୍ରକାଶ ପାଇଛି। ବୈଠକରେ ଜିଲାପାଳ ବଲୱନ୍ତ ସିଂ, ଉପଜିଲାପାଳ ଭବତାରଣ ସାହୁ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।