ପଟ୍ଟାଙ୍ଗି,୨୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ମାଳିପୁଟ ପଞ୍ଚାୟତ ମାଲକାରବନ୍ଧ ଗ୍ରାମ ନିକଟରେ ବିପକ୍ଷବାଦୀ ଏକତ୍ର ହୋଇ ସୋମବାର ଏକ ବୈଠକ କରିଛନ୍ତି। ଏଥିରେ ନାଲ୍କୋ ପାଇଁ ସହଯୋଗ କରୁଥିବା ବ୍ୟକ୍ତିମାନେ ନିଜର ଫାଇଦା ଲାଗି ବିନାଶ କାର୍ଯ୍ୟ ନ କରିବା ସହ ଏଥିରୁ ନିବୃତ ନ ରହିଲେ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ପକ୍ଷରୁ ସପକ୍ଷବାଦୀଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ପଛାଇବୁ ନାହିଁ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଗତ ଶୁକ୍ରବାର ସେରୁବନ୍ଧ ବକ୍ସାଇଟ ପାହାଡ଼ ନିକଟ ଯାଏ ଆବଶ୍ୟକ ଥିବା ରାସ୍ତା ନିର୍ମାଣ କାର୍ଯ୍ୟକୁ ଶତାଧିକ ଗ୍ରାମବାସୀ ବିରୋଧ କରି କାର୍ଯ୍ୟରେ ନିୟୋଜିତ କମ୍ପାନୀ ଓ ପ୍ରଶାସନକୁ ଫେରାଇଥିଲେ। କିନ୍ତୁ ଏହା ପୂର୍ବରୁ ୧୯ ତାରିଖ ତଥା ଗୁରୁବାର ରାତିରେ କେତେଜଣ କମ୍ପାନୀ କର୍ମଚାରୀ ବ୍ଲକ ସଦର ମହକୁମାରେ ପହଞ୍ଚି ଲେଞ୍ଜିଗୁଡ଼ା ଗ୍ରାମ ନିକଟରେ କେତେକ ନାଲକୋ ସପକ୍ଷବାଦୀଙ୍କୁ ଟଙ୍କା ବାଣ୍ଟୁଥିବା କଥା ପ୍ରଚାର ହେବା ପରେ ବିପକ୍ଷବାଦୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସମସ୍ତ ଗ୍ରାମବାସୀ ଏକତ୍ର ହୋଇ ରାସ୍ତା ନିର୍ମାଣ ପୂର୍ବରୁ ଭୂମିପୂଜାକୁ ବିରୋଧ କରିଥିଲେ। ଏହା ପରେ ବିପକ୍ଷବାଦୀ ବା କ୍ଷତିଗ୍ରସ୍ତ ଗ୍ରାମବାସୀ ବୈଠକ କରି ନାଲ୍କୋ କମ୍ପାନୀକୁ ସହଯୋଗ କରୁଥିବା କେତେକ ସପକ୍ଷବାଦୀଙ୍କୁ ଡକାଇ ଆଲୋଚନା କରିଥିଲେ। ଏଭଳି କାର୍ଯ୍ୟ ନ କରିବାକୁ ଚେତାବନୀ ଦେଇ ଏକ ଲିଖିତ ଚୁକ୍ତିନାମାରେ ଦସ୍ତଖତ କରାଇ ସପକ୍ଷବାଦୀମାନଙ୍କୁ ଛାଡିଥିବା ଜଣାପଡ଼ିଛି। ଏ ନେଇ ଦୁଇପକ୍ଷରୁ ପୋଲିସ ପାଖରେ କୌଣସିି ଅଭିଯୋଗ ହୋଇ ନ ଥିବା ଜଣାପଡିଛି।