ଦିଗପହଣ୍ଡି,୭।୯(ଅଶେଷ ନାଥ ମିଶ୍ର): ବେଆଇନ ମଦ କାରବାର ଅଭିଯୋଗରେ ଅବକାରୀ ପୋଲିସ ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମର ରମେଶ ଗୌଡ଼ ଏବଂ ଶ୍ୟାମସୁନ୍ଦରପଲ୍ଲୀ ଗ୍ରାମ ମଝି ସାହିର ରାଜୁ ମଲ୍ଲିକଙ୍କୁ ଗିରଫ କରିଛି।
ଦିଗପହଣ୍ଡି ଅବକାରୀ ଥାନା ଓଆଇସି ଅନୀତା ପ୍ରଧାନ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛନ୍ତି। ଏନେଇ ଏକ ମାମଲା (ନଂ.୯୭/୨୫-୨୬) ରୁଜୁ ହୋଇଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ବୟଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି।
ଶନିବାର ସାରେ ଅବକାରୀ ଓଆଇସି ସଦଳବଳେ ଦିଗପହଣ୍ଡି ବ୍ଲକ ନିମଖଣ୍ଡୀପେଣ୍ଠ, ସୌରାପାହାଡ଼, ସିନ୍ଧବା,ଶ୍ୟାମସୁନ୍ଦରପୁର ପଲ୍ଲୀ, ବାଇଗଣବାଡ଼ି ଗ୍ରାମରେ ପାଟ୍ରୋଲିଂ କରୁଥିଲେ। ସେତିକି ବେଳେ ବଡ଼ପଦା ଗାଁ ରାସ୍ତାରେ ଏକ ମୋପେଡ଼ (ନଂ.ଓଡି୦୨ଏଡି -୦୨୦୬) ଯୋଗେ ଅଭିଯୁକ୍ତ ଦ୍ବୟ ୨ଟି ପ୍ଲାଷ୍ଟିକ ଜାରକିନ ଧରି ଦୃତଗତିରେ ଯାଉଥିଲେ। ସେତିକିବେଳେ ଅବକାରୀ କର୍ମଚାରୀ ତାଙ୍କୁ ଅଟକାଇ ଯାଞ୍ଚ କରିବାରୁ ସେମାନଙ୍କଠାରୁ ୨ଟି ଜାରକିନରେ ୪୦ ଲିଟର ଅପମିଶ୍ରିତ ଦେଶୀମଦ ଜବତ କରାଯାଇଥିଲା।
ସାକ୍ଷ୍ୟଙ୍କ ଉପସ୍ଥିତିରେ ଜବତ ମଦରୁ ନମୁନା ସଂଗ୍ରହ କରାଯାଇ ବ୍ରହ୍ମପୁର ସ୍ଥିତ ଫରେନସିକ ଲାବୋରେଟେରୀକୁ ପଠାଯାଇଛି। ଅଭିଯୁକ୍ତ ଦ୍ୱୟଙ୍କୁ ପଚରାଉଚୁରା ବେଳେ ବେଆଇନ ମଦ କାରବାରରେ ସମ୍ପୃକ୍ତ ଥିବା ସ୍ବୀକାର କରିଥିଲେ। ପରେ ଅବକାରୀ ପୋଲିସ ସେମାନଙ୍କୁ ଗିରଫ କରିଥିଲା। ଚଢାଉରେ ଅବକାରୀ ଏଏସ୍ଆଇ ଏନ୍. ତ୍ରିପତି, କନେଷ୍ଟବଳ ବଳରାମ ପାତ୍ର, ରାଜେଶ କୁମାର ଜେନା, ଏସ୍କେ. ରାଜେଶ ଉଦ୍ଦିନ ପ୍ରମୁଖ ସାମିଲ ଥିଲେ।


