ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରରେ ସେପ୍ଟେମ୍ବର ୨୦୨୫ ସେସନ ପାଇଁ ଆଡ଼ମିଶନ ଆରମ୍ଭ

ଭୁବନେଶ୍ୱର,୧୯।୮: ଓଡ଼ିଶାର ସ୍କିଲ୍‌ଡ-ଇନ-ଓଡ଼ିଶା ଅଧୀନରେ ପ୍ରମୁଖ ଦକ୍ଷତା ବିକାଶ ଅନୁଷ୍ଠାନ ବିଶ୍ୱ ଦକ୍ଷତା କେନ୍ଦ୍ର (ଡବ୍ଲ୍ୟୁଏସସି) ସେପ୍ଟେମ୍ବର ୨୦୨୫ ସେସନ ପାଇଁ ଅନଲାଇନ ଆବେଦନ ଆରମ୍ଭ କରିଛି। ଆବେଦନ କରିବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୧, ୨୦୨୫। ଯୋଗ୍ୟ ପ୍ରାର୍ଥୀଙ୍କୁ ଅନଲାଇନ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଚୟନ କରାଯିବ।

ବିଶ୍ୱ ଦକ୍ଷତା କେନ୍ଦ୍ର ଦୁଇଟି ବିଭାଗ—ସ୍କୁଲ ଅଫ ଇଞ୍ଜିନିୟରିଂ ଏବଂ ସ୍କୁଲ ଅଫ ସର୍ଭିସେସ—ଅଧୀନରେ ସାତଟି ଉନ୍ନତ ଏକବର୍ଷିଆ ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରୁଛି। ସ୍କୁଲ ଅଫ ଇଞ୍ଜିନିୟରିଂ ଅଧୀନରେ ପ୍ରେସିଜନ ଇଞ୍ଜିନିୟରିଂ, ମେକାଟ୍ରୋନିକ୍ସ, ଇଲେକ୍ଟ୍ରିକାଲ ଟେକ୍ନୋଲୋଜି, ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ, ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜେରେସନ, ଏବଂ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ପାଠ୍ୟକ୍ରମ ରହିଛି। ସ୍କୁଲ ଅଫ ସର୍ଭିସେସ ଅଧୀନରେ ବଜାରମୁଖୀ ବିୟୁଟି ଆଣ୍ଡ ଓ୍ୱେଲନେସ ପାଠ୍ୟକ୍ରମ ପ୍ରଦାନ କରାଯାଉଛି।

ଯୋଗ୍ୟତା:
ସ୍କୁଲ ଅଫ ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ଦୁଇ ବର୍ଷିଆ ଆଇଟିଆଇ କିମ୍ବା ତିନି ବର୍ଷିଆ ଡିପ୍ଲୋମା ଉତ୍ତୀର୍ଣ୍ଣ ପ୍ରାର୍ଥୀ ଆବେଦନ କରିପାରିବେ।

ସ୍କୁଲ ଅଫ ସର୍ଭିସେସ ପାଇଁ ପ୍ଲସ ଟୁ, ସମ୍ପୃକ୍ତ ଟ୍ରେଡରେ ଆଇଟିଆଇ, କିମ୍ବା ଯେ କୌଣସି ବିଷୟରେ ଡିପ୍ଲୋମା ଉତ୍ତୀର୍ଣ୍ଣ ପ୍ରାର୍ଥୀ ଆବେଦନ କରିପାରିବେ।

ଆଇଟିଇଇଏସ ସିଙ୍ଗାପୁର ସହଯୋଗରେ ପ୍ରଦାନ କରାଯାଉଥିବା ଏହି ତାଲିମ ବିଶ୍ୱମାନର ଶିକ୍ଷଣ ପଦ୍ଧତି, ହାତେକାମ ଶିକ୍ଷା, ଏବଂ ଶିଳ୍ପ ଅନୁଯାୟୀ ପାଠ୍ୟକ୍ରମ ଉପରେ ଗୁରୁତ୍ୱ ଦେଇଥାଏ। ଛାତ୍ରଛାତ୍ରୀମାନେ ଜୀବନ ଓ ନିଯୁକ୍ତି ଦକ୍ଷତା ଯଥା ଯୋଗାଯୋଗ, ବ୍ୟକ୍ତିତ୍ୱ ବିକାଶ, ଏବଂ ଡିଜିଟାଲ ସାକ୍ଷରତା ଉପରେ ମଧ୍ୟ ତାଲିମ ପ୍ରାପ୍ତ କରନ୍ତି।

ବିଶ୍ୱ ଦକ୍ଷତା କେନ୍ଦ୍ର ଛାତ୍ରଛାତ୍ରୀମାନଙ୍କୁ ହଷ୍ଟେଲ ସୁବିଧା, ୟୁନିଫର୍ମ, ଲଜିଷ୍ଟିକ ସମର୍ଥନ, ଏବଂ ଜାତୀୟ ଓ ଆନ୍ତର୍ଜାତୀୟ କମ୍ପାନୀଗୁଡ଼ିକରେ ନିଯୁକ୍ତି ସହାୟତା ପ୍ରଦାନ କରୁଛି। ଏହି କେନ୍ଦ୍ରର ଫିନିସିଂ ସ୍କୁଲ ମଡେଲରେ ଗଢ଼ାଯାଇଥିବା ବିଶ୍ୱମାନର ତାଲିମ ଭିତ୍ତିଭୂମି ଯୁବବର୍ଗଙ୍କ ଦକ୍ଷତାକୁ ଶାଣିତ କରି ସେମାନଙ୍କୁ ଶିଳ୍ପ ପାଇଁ ପ୍ରସ୍ତୁତ କରୁଛି। ନିଯୁକ୍ତି ସହାୟତା ମାଧ୍ୟମରେ ଛାତ୍ରଛାତ୍ରୀମାନେ ଖ୍ୟାତିସମ୍ପନ୍ନ ଜାତୀୟ ଓ ଆନ୍ତର୍ଜାତୀୟ କମ୍ପାନୀଗୁଡ଼ିକରେ ଯୋଗଦେବାର ସୁଯୋଗ ପାଉଛନ୍ତି।

ଆବେଦନ ପ୍ରକ୍ରିୟା:
ଆଗ୍ରହୀ ପ୍ରାର୍ଥୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ରର ୱେବସାଇଟ www.worldskillcenter.org ମାଧ୍ୟମରେ ସିଧାସଳଖ ଅନଲାଇନ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ସମ୍ପର୍କରେ ଅଧିକ ସୂଚନା ପାଇଁ ଟୋଲ ଫ୍ରି ନମ୍ବର ୧୮୦୦ ୨୬୬ ୬୦୦୨ରେ ଯୋଗାଯୋଗ କରିବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।