ବୁଗୁଡ଼ା,୧୮ା୯(କାଳୀଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ତହସିଲ ଅଧିନସ୍ଥ ବେତାରସିଙ୍ଗିର ଜଙ୍ଗଲରେ ଜାରିରହିଥିବା ବେଆଇନ ପଥର ବ୍ଲାଷ୍ଟିଂ ଓ ଖନନକୁ ବିରୋଧ କରି ଗ୍ରାମବାସୀଙ୍କ ପକ୍ଷରୁ କିଛିଦିନ ତଳେ ପ୍ରତିବାଦ କରାଯାଇଥିଲା। ଗ୍ରାମବାସୀଙ୍କ ପ୍ରତିବାଦ ଏବଂ ଅଭିଯୋଗକୁ ଭିତ୍ତିକରି ବୁଗୁଡ଼ା ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡ଼ା ଅତିରିକ୍ତ ତହସିଲଦାର ସୁନନ୍ଦ ଶେଖର ସାହାଣୀ,
ରେଭିନିଉ ସୁପରଭାଇଜର ଜିବି ମଲ୍ଲିକ, ଆର୍ଆଇ କ୍ଷୀରୋଦ କୁମାର ସେଠୀ ଭଗବାନପୁର ବନପାଳ ଅର୍ଜୁନ ଜାନୀ ଜଙ୍ଗଲରେ ପହଞ୍ଚି ସ୍ଥିତି ଯାଞ୍ଚ କରିବା ସହ ତଦନ୍ତ କରିଛନ୍ତି l ପଥର ଖନନ ଏବଂ ବ୍ଲାଷ୍ଟିଂ ସ୍ଥାନରେ କାର୍ଯ୍ୟ ବନ୍ଦ ଲାଗି ପ୍ରଶାସନ ପକ୍ଷରୁ ନୋଟିସ୍ କରାଯାଇଥିବା ସହିତ ସେଠାରେ ବେଆଇନ ପଥର ଖାଦାନକୁ ବନ୍ଦ ରଖିବା ପାଇଁ ପଥର ମାଫିଆଙ୍କୁ ତାଗିଦ କରାଯାଇ ୨ଟି ମେଶିନ ଓ ଗୋଟିଏ ଜେନେରେଟର ଜବତ କରାଯାଇଛି।
ଏଥି ସହିତ ଉକ୍ତ ମେଶିନର ଦାବିଦାରମାନେ ୩ ଦିନ ମଧ୍ୟରେ କାର୍ଯ୍ୟାଳୟରେ ଉପସ୍ଥିତ ନ ହେଲେ ଉକ୍ତ ମେଶିନଗୁଡ଼ିକୁ ନିଲାମ କରାଯିବ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ଚଢ଼ାଉବେଳେ ପ୍ରଶାସନିକ ଅଧିକାରୀଙ୍କ ସହିତ ଗ୍ରାମବାସୀ ମଧ୍ୟ ଜଙ୍ଗଲରେ ଉପସ୍ଥିତ ଥିଲେ।


