ଭୁବନେଶ୍ୱର,୧୬।୧: ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଚାଳିଥିବା ଆଦିବାସୀ ମେଳା ଗୁରୁବାର ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ମେଳାର ସଫଳତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
ଉଦ୍ଯାପନୀ ସନ୍ଧ୍ୟାରେ ଜର୍ନାଲ ‘ଆଦିବାସୀ ୬୪ତମ ଖଣ୍ଡ’ ଉନ୍ମୋଚିତ ହୋଇଥିଲା। ଏପରିକି ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନର ବାର୍ଷିକ ରିପୋର୍ଟକୁ ମୁଖ୍ୟ ଅତିଥି ଅନାବରଣ କରିଛନ୍ତି। ଏହି ଅବସରରେ ୬ଜଣ ସଫଳ ଜନଜାତି ଚାଷୀ, ୬ଜଣ କ୍ଷୁଦ୍ର ଉଦ୍ୟୋଗୀ ଏବଂ ଜଣେ ଜନଜାତି କଳାକାରଙ୍କୁ ସମ୍ମାନିତ କରାଯାଇଥିବା ବେଳେ ୩ଟି ଶ୍ରେଷ୍ଠ କୁଡ଼ିଆ ଓ ୩ଜଣ ଜନଜାତି ବ୍ୟବସାୟୀଙ୍କୁ ପୁରସ୍କୃତ କରାଯାଇଥିଲା।
ମେଳାର ୧୨ ଦିନ ମଧ୍ୟରେ ସାଢେ ୯ କୋଟିରୁ ଉଦ୍ଧର୍ବ ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକଙ୍କ ଜନସମାଗମ ହୋଇଛି। ଯାହା ପୂର୍ବ ବର୍ଷ ତୁଳନାରେ ଦୁଇ ଗୁଣା ରହିଥିଲା ବୋଲି ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଦିବାସୀ ମେଳାର ଆଜି ଅନ୍ତିମ ଦିନରେ ଆଦିବାସୀ ଗାଁ, ଆଦିବାସୀ ହାଟ, ଆଦିବାସୀ କଳା ସଂସ୍କୃତିର ଷ୍ଟଲ, ଫୁଡ କୋର୍ଟ ଏବଂ ଲାଇଭ ଡେମୋନଷ୍ଟ୍ରେସନ, ଭଗବାନ ବିର୍ସା ମୁଣ୍ଡା ପାଭିଲିୟନ ଆଦି ମୁଖ୍ୟ ଆକର୍ଷଣ ରହିଥିଲା।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମେଳାର ଉଦ୍ଘାଟନ କରିଥିଲେ। ଚଳିତ ବର୍ଷ ୨୦ଟି ଆଦିବାସୀ କୁଟିର ନିମାଣ କରାଯାଉଥିବା ବେଳେ ୧୪୭ଟି ଷ୍ଟଲରେ ଆଦିବାସୀ ସାମଗ୍ରୀ ବିକ୍ରିବଟା ହୋଇଥିଲା।