ଗ୍ରାମବାସୀଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଲେ ଅତିରିକ୍ତ ଏସ୍‌ପି, ସରପଞ୍ଚ କହିଲେ…

ବଲାଙ୍ଗୀର,୧୨ା୧(ସୁନିଲ କୁମାର ମହାନ୍ତି): ସଦର ଥାନା କୁଶମେଲ ପଞ୍ଚାୟତରୁ କିଛିଦିନ ତଳେ ଇଲେକ୍ଟ୍ରି ତାର ଚୋରି ହୋଇଥିଲା। ଲୋକେ ପୋଲିସକୁ ଖବର ଦେବାରୁ ସଦର ପୋଲିସ ଚୋରମାନଙ୍କୁ ଥାନାକୁ ଆଣି ପରେ ଛାଡ଼ିଦେଇଥିଲା। ସୋମବାର ସକାଳୁ କୁଶମେଲ ସରପଞ୍ଚ କୌସ୍ତୁଭ ସାହୁଙ୍କୁ ଉଠାଇ ଆଣିଥିଲା ସଦର ପୋଲିସ । ଏହାର ପ୍ରତିବାଦରେ ସୋମବାର ଶତାଧିକ ମହିଳା ପୁରୁଷ ଆସି ଏସ୍‌ପି ଅଫିସ ଘେରାଉ କରିବା ସହ ୫୭ ନଂ ରାଜ୍ୟ ରାଜପଥ ବଲାଙ୍ଗୀର-ପାଟଣାଗଡ଼ ସଦର ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ଅତିରିକ୍ତ ଏସ୍‌ପି ହିମାଂଶୁ ବେହେରା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ଧାରଣାରୁ ଉଠିଛନ୍ତି ଲୋକେ।

 

ସରପଞ୍ଚଙ୍କୁ ପଚାରିବାରୁ ସେ କହିଛନ୍ତି, ପୋଲିସ ଚୋରମାନଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କହିବା ସହ ୭ ଦିନ ଭିତରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପ୍ରତିଶ୍ରୁତି ଦେବାରୁ ଆମେ ଧାରଣାରୁ ଓହରିଛୁ। ଏଥିରେ ବ୍ୟତିକ୍ରମ ହେଲେ ଏକ ବଡ଼ ଧରଣର ଆନ୍ଦୋଳନ ହେବ। ଏଥିପାଇଁ ପ୍ରଶାସନ ଏବଂ ସରକାର ଦାୟୀ ରହିବେ ବୋଲି ସରପଞ୍ଚ କହିଛନ୍ତି।

Dharitri – Odisha’s No.1 Odia Daily

Share